ପଂଜାବରେ ଆତଙ୍କବାଦ ଫେରାଇଆଣିବାକୁ ଏକ ବାହ୍ୟଶକ୍ତି ଷଡ଼ଯନ୍ତ୍ର କରୁଛି : ସେନାମୁଖ୍ୟ

ନୂଆଦିଲ୍ଲୀ : ପଂଜାବରେ ପୁଣିଥରେ ଖଲିସ୍ତାନୀ ଆନ୍ଦୋଳନକୁ ଜୀବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏକ ବାହ୍ୟଶକ୍ତି ଏ ନେଇ ସବୁପ୍ରକାରର ସୁବିଧାସୁଯୋଗ ଯୋଗାଇଦେଉଛି ବୋଲି  ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କହିଛନ୍ତି । ସେ କହିଛନ୍ତି ଯେ ପଂଜାବରେ ସବୁକିଛି ଠିକ ହୋଇଗଲା ବୋଲି ଆମେ ଆଖି ବନ୍ଦ କରି ବସିଯିବା ଠିକ ନୁହେଁ । ଯଦି ବେଳଥାଉ ଥାଉ ପଦକ୍ଷେପ ନିଆନଯାଏ ତେବେ ସ୍ଥିତି ହାତରୁ ଖସିଯିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସାମରେ ମଧ୍ୟ ଉଲଫା ଆତଙ୍କବାଦୀ ସଂଗଠନକୁ ପୁଣି ଜୀବିତ କରିବାକୁ ଉଦ୍ୟମ ଚାଲିଛି । ସୂଚନାଯୋଗ୍ୟ ଯେ ୮୦ ଦଶକରେ ପଂଜାବରେ ଖଲିସ୍ତାନୀ ଆତଙ୍କବାଦ ଚରମସୀମାରେ ପହଞ୍ଚିଥିଲା । ତେବେ ଏବେ ପାକିସ୍ତାନର ଆଇଏସଆଇ ପୁଣି ଥରେ ସେମାନଙ୍କୁ ଉସୁକେଇବାକୁ ଷଡଯନ୍ତ୍ର କରୁଛି । କାନାଡା ବ୍ରିଟେନ ପ୍ରଭୃତି ଦେଶରେ ରହି ଖଲିସ୍ତାନୀ ସମର୍ଥକ ଏକାଠି ହେଉଛନ୍ତି । ଏମାନଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଦେଉଥିବା ଜଣାଯାଉଛି । ଆଇଏସଆଇ ଏବେ ଖଲିସ୍ଥାନ ଆନ୍ଦୋଳନକୁ ପୁଣିଥରେ ଜୀବିତ କରିବାକୁ ଉଦ୍ୟମ ଚଳାଇଛି । ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଆଦି ସ୍ଥାନରେ ଥିବା ଖଲିସ୍ତାନୀ ସମର୍ଥକଙ୍କୁ  ଏବେ ଗୋପନରେ ସହାୟତା କରୁଛି ଆଇଏସଆଇ ।

ସମ୍ବନ୍ଧିତ ଖବର