ବଡ଼ ଘରର ବଡ଼ ଗୁମର: ଦେଶର ୧ ନମ୍ବର ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବର ଆୟୋଜନ କରି ନିଜର ୩ ପିଲାଙ୍କ ବାହାଘର ଏକାଠି କରାଇବା ଚକ୍କରରେ ଅଛନ୍ତି କି ଅମ୍ବାନୀ!

ଆକାଶ- ଶ୍ଲୋକା, ଇଶା- ଆନନ୍ଦଙ୍କ ପରେ ଏବେ ଲାଇନ୍‌ରେ ଅନନ୍ତ- ରାଧିକାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଦେଶର ଏକ ନମ୍ବର ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାର ସବୁବେଳେ ସେମାନଙ୍କ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ରହଥାଆନ୍ତି। ତେବେ, ଚଳିତ ବର୍ଷ ଆରମ୍ଭରୁ ମୁକେଶ ଅମ୍ବାନୀଙ୍କ ପରିବାର ସେମାନଙ୍କ ପିଲାମାନଙ୍କ ବାହାଘରକୁ ନେଇ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳିଛି।
ପ୍ରଥମେ ଅପ୍ରେଲ ମାସରେ ବଡ଼ପୁଅ ଆକାଶ ଅମ୍ବାନୀଙ୍କର ଶ୍ଲୋକା ମେହେଟ୍ଟାଙ୍କ ସହ ହୋଇଥିବା ନିର୍ବନ୍ଧକୁ ନେଇ ଚର୍ଚ୍ଚା ଆଲୋଚନା ଥମି ନଥିବା ବେଳେ ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧ ଆନନ୍ଦ ପିରାମଲଙ୍କ ସହ ସଂପୂର୍ଣ୍ଣ ଅକସ୍ମାତ ଭାବେ କରିଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ ଅମ୍ବାନୀ ପରିବାର। ଝିଅ ଇଶା ଓ ଜ୍ୱାଇଁ ଆନନ୍ଦଙ୍କ ସଂପର୍କରେ ଚର୍ଚ୍ଚା ଆଲୋଚନା ଅବ୍ୟାହତ ରହିଥିବା ବେଳେ ସେମାନଙ୍କୁ ପଛକୁ ଠେଲିଦେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚ୍ଚାଣ୍ଟ ନାମ୍ନୀ ଜନୈକା ଯୁବତୀଙ୍କ ସହ ତାଙ୍କର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ ହେବା ପରେ ଅନନ୍ତଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।


ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି। ଆଉ ସେଇ ଫଟୋ ତଳେ ଲେଖିଛନ୍ତି, ‘ମୁଁ ରାଧିକାଙ୍କ ସହ ମୋର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ରାଧିକାଙ୍କ ସହ ମୋର ନିର୍ବନ୍ଧ ହୋଇଯାଇଛି।’ ରାଧିକା ହେଉଛନ୍ତି ଅନନ୍ତଙ୍କର ଜଣେ ଘନିଷ୍ଠ ବାନ୍ଧବୀ। ଇଶା ଓ ଆନନ୍ଦଙ୍କ ନିର୍ବନ୍ଧ ଉତ୍ସବରେ ରାଧିକା ଇଶା ଓ ଶ୍ଲୋକାଙ୍କ ସହ ଏକାଠି ନାଚୁଥିବା ନଜର ଆସିଥିଲା। ତେବେ, ଅମ୍ବାନୀଙ୍କ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ସଂପର୍କରେ କିଛି ହେଲେ ସୂଚନା ଦିଆ ଯାଇନାହିଁ। ହେଲେ, ସାଧାରଣରେ ଆଲୋଚନା ଚାଲିଛି, ଦେଶର ଏକ ନମ୍ବର ବ୍ୟବସାୟୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଦେଶର ଏକ ନମ୍ବର ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବର ଆୟୋଜନ କରି ନିଜର ତିନି ପିଲାଙ୍କ ବାହାଘର ଏକାଠି କରାଇବା ଚକ୍କରରେ ଅଛନ୍ତି। ତେବେ, ବଡ଼ ଘରର ବଡ଼ ଗୁମର କିଏ ବା ଜାଣିବ କ’ଣ?

ସମ୍ବନ୍ଧିତ ଖବର