ଦେଖନ୍ତୁ ଭିଡିଓ: ମାଲ୍‌ଗାଡ଼ି ଯାଉଥିବା ଧାରଣା ଉପରେ ଶୋଇ କେମିତି ବଞ୍ଚିଗଲେ ଆନ୍ଧ୍ରର ଏଇ ବ୍ୟକ୍ତି

ଅନନ୍ତପୁର: ଏକ ରେଳବାଇ ଷ୍ଟେସନ୍‌ ପ୍ଲାଟ୍‌ଫର୍ମ ନିକଟରେ ଚଳନ୍ତା ମାଲ୍‌ଗାଡ଼ି ତଳେ ଶୋଇ ଦାୟିତ୍ୱହୀନ ଷ୍ଟଣ୍ଟ୍‌ ଦେଖାଇଥିବା ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ସତ କିନ୍ତୁ, ଦେଖଣାହାରିଙ୍କ ଠାରୁ ବହେ ଗାଳି ଶୁଣିଲେ।

ଜଣେ ଦେଖଣାହାରି ସେଲ୍‌ଫୋନ୍‌ରେ ଉତ୍ତୋଳନ କରିଥିବା ଉକ୍ତ ଘଟନାର ଭିଡିଓରେ ଦେଖାଯାଉଛି: ସେ ଲୋକଟି ରେଳଧାରଣା ଉପରେ ନିଶ୍ଚଳ ହୋଇ ନିଶ୍ୱାସପ୍ରଶ୍ୱାସ ବନ୍ଦ କଲାପ୍ରାୟ ଶୋଇରହି ତାଙ୍କ ଉପର ଦେଇ ମାଲଗାଡ଼ି ଅତିକ୍ରମ କରିଯିବାକୁ ଅପେକ୍ଷା କରୁଛନ୍ତି।

 Courtesy of NDTV

ରାଜଧାନୀ ଅମରାବତୀ ଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଅନ୍ତର୍ଗତ ଏକ ରେଳବାଇ ଷ୍ଟେସନ୍‌ରେ ଏ ଘଟନା ଘଟିଛି। ସେ ଲୋକଟି ଧାରଣା ପାର ହୋଇ ଆରପଟକୁ ଯିବାକୁ ଉଦ୍ୟମ କରୁଥିଲେ।

ମାଲଗାଡ଼ି ଅତିକ୍ରମ କରିଯିବା ପରେ ଗୋଟାପଣେ ଥରି ଥରି ଉଠି ଠିଆ ହୋଇଥିବା ସେ ଲୋକ ଚାରିପଟେ ପ୍ଲାଟ୍‌ଫର୍ମରେ ଥିବା ଲୋକେ ଘେରି ଯାଇ ଗାଳିଫଜିତ୍‌ କରିଥିଲେ। ଲୋକଜଣକ ଯାହା କୈଫୟତ୍‌ ଦେଉଛନ୍ତି ସେ କଥା ନ ଶୁଣି ଦେଖଣାହାରିମାନେ କ୍ରମେ ତାଙ୍କ ପାଖରୁ ଚାଲିଯାଉଛନ୍ତି।

ତା’ପରେ ଲୋକଟି ରେଳ ଧାରଣାରେ ଲାଖି ଯାଇଥିବା ତାଙ୍କ ଚପଲ କାଢ଼ି ଏକା ଏକା ପ୍ଲାଟ୍‌ଫର୍ମ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଛନ୍ତି।

ସେ ଲୋକଟିର ପରିଚୟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର