ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ମହଙ୍ଗା ପଡ଼ିଲା ; ନିର୍ଘାତ ମାଡ଼ ମାରିବା ସହ ଶିକ୍ଷକଙ୍କୁ ଉଲଗ୍ନ କରି ଚଲାଇଲେ ଉତ୍ତ୍ୟକ୍ତ ଲୋକେ, ଭିଡିଓ ହେଲା ଭାଇରାଲ

ଇଲୁରୁ (ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଇଲୁରୁ ସହରରେ ଗତ ମଙ୍ଗଳବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକା ନାବାଳିକା ଛାତ୍ରୀକୁ ପରୀକ୍ଷାରେ ଅଧିକ ନମ୍ବର ଦେବାର ପ୍ରଲୋଭନ ଦେଖାଇ କାରେ ରାମବାବୁ ନାମକ ଜେନୈକ ଇଂରାଜୀ ଶିକ୍ଷକ ଛାତ୍ରୀଜଣଙ୍କୁ ଦୁଷ୍କର୍ମ କରି ଭର୍ଗବତୀ କରାଇବା ପରେ ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହୋଇଛନ୍ତି। ଉତ୍ୟକ୍ତ ଲୋକେ ଶିକ୍ଷକ ରାମବାବୁଙ୍କୁ ଏହି ଅପରାଧ ପାଇଁ ନିର୍ଘାତ ମାଡ଼ ମାରିବା ସହ ଉଲଗ୍ନ କରାଇ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ପ୍ୟାରେଡ୍‌ କରାଇଛନ୍ତି। ଏହି ପୂରା ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ସେୟାର ହେବାପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।


ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ଏକ ଘରୋଇ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଥିବା କାରେ ରାମବାବୁ ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ଜନୈକା ଛାତ୍ରୀକୁ ପରୀକ୍ଷାରେ ଅଧିକ ନମ୍ବର ଦେବାର ପ୍ରଲୋଭନ ଦେଖାଇ ତାକୁ ଗତ ୬ ମାସ ଧରି ନିୟମିତ ଦୁଷ୍କର୍ମ କରି ଆସୁଥିଲେ। ତେବେ, ଶିକ୍ଷକ ରାମବାବୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଛାତ୍ରୀ ଜଣକ ଗର୍ଭବତୀ ହୋଇ ପଡ଼ିଥିଲା। ଏ ଘଟଣା ଜାଣିବା ପରେ ଶିକ୍ଷକ ରାମବାବୁ ଛାତ୍ରୀ ଜଣଙ୍କର ଗର୍ଭ ନଷ୍ଟ କରାଇଦେବା ପାଇଁ ତାଙ୍କୁ କିଛି ଔଷଧ ଦେଇଥିଲେ। ତେବେ, ସେଇ ଔଷଧ ଖାଇବା ପରେ ଛାତ୍ରୀ ଜଣଙ୍କର ପ୍ରବଳ ରକ୍ତସ୍ରାବ ହେବା ସହ ତାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ପରେ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ପ୍ରକୃତ ସତ୍ୟ ସାମନାକୁ ଆସିଥିଲା। ଘଟଣା ଜାଣିବା ପରେ ଉତ୍ୟକ୍ତ ଲୋକେ ଶିକ୍ଷକ ରାମବାବୁଙ୍କୁ ଏହି ଅପରାଧ ପାଇଁ ନିର୍ଘାତ ମାଡ଼ ମାରିବା ସହ ଉଲଗ୍ନ କରାଇ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ପ୍ୟାରେଡ୍‌ କରାଇଥିଲେ। ଘଟଣା ସଂପର୍କରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର