କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ବିରୋଧରେ ମାନହାନୀ ମକଦ୍ଦମା ପ୍ରତ୍ୟାହାର କରିବେ ଅନୀଲ ଅମ୍ବାନି

ମୁମ୍ବାଇ : ଶିଳ୍ପପତି ଅନୀଲ ଅମ୍ବାନି କଂଗ୍ରେସ ଓ ନାସନାଲ ହେରାଲ୍ଡ ବିରୋଧରେ ଗତ ବର୍ଷ ଦାଏର କରିଥିବା ୫ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଅନୀଲ ଅମ୍ବାନୀଙ୍କ ଓକିଲ ରାଶେସ ପାରିଖ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ମକଦ୍ଦମା ପ୍ରତ୍ୟାହର ନିଷ୍ପତ୍ତି ସଂପର୍କରେ କଂଗ୍ରେସ ଓକିଲଙ୍କୁ ଜଣାଇଦିଆଯାଇଛି । ନାସନାଲ ହେରାଲ୍ଡ ଓକିଲ ପିଏସ ଚମ୍ପାନେରୀ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ତେବେ କେଉଁ କାରଣରୁ ଅନୀଲ ମକଦ୍ଦମା ପ୍ରତ୍ୟାହାର କରିବାକୁ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି ।
ଗତ ବର୍ଷ ଅଗଷ୍ଟମାସରେ ଅନୀଲ ଅମ୍ବାନି କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ବିରୋଧରେ ୫ ହଜାର କୋଟିର ମାନହାନୀ ମକଦ୍ଦମା ଅହମ୍ମଦାବାଦର ଏକ କୋର୍ଟରେ କରିଥିଲେ । ନ୍ୟାସନାଲ ହେରାଲ୍ଡ ଲେଖା ଦ୍ୱାରା ରିଲାଏନ୍ସର ଛବି ଖରାପ କରିବାକୁ ଚେଷ୍ଟା କରୁଥିବା ଦର୍ଶାଇ ଅନୀଲ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଡିଫେନ୍ସ, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ଓ ରିଲାଏନ୍ସ ଏରୋଷ୍ଟ୍ରକଚର୍ ଦ୍ୱାରା ଏହି ମାମଲା ରୁଜୁ କରାଯାଇଥିଲା । ରାଫେଲ ଡିଲ ନେଇ ତାଙ୍କ କମ୍ପାନି ଟଙ୍କାଟିଏ ମଧ୍ୟ ଲାଭ ପାଇନଥିବା ଅନୀଲ ଅମ୍ବାନି କହୁଛନ୍ତି । କିନ୍ତୁ ଏହି ମାମଲାରେ ମୋଦି ସରକାର ରିଲାଏନ୍ସ ଜରିଆରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଆସୁଛି। ଏପରିକି ନିର୍ବାଚନୀ ସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର