ଦେଖନ୍ତୁ ଭିଡିଓରେ କ’ଣ କହିଥିଲେ ପ୍ରଧାନମନ୍ତ୍ରୀ; ଯାହା ପାଇଁ କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେ କହିଲେ ‘ମୋଦୀଜୀମୁଁ ଆପଣଙ୍କ ନିକଟରେ କୃତଜ୍ଞ’…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସହ ଗତ ସୋମବାର ଦିନ କରିଥିବା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କିମ୍ବଦନ୍ତୀ କ୍ରିକେଟର ତଥା ଲେଗ୍‌ ସ୍ପିନର ଅନୀଲ କୁମ୍ବଲେଙ୍କ ଉଦାହାରଣ ଦେଇଥିଲେ। ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବିଗତ ୨୦୦୨ରେ ଭାରତୀୟ କ୍ରିକେଟ ଟିମ୍‌ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିଲା। ସେତେବେଳେ କ୍ରିଜ୍‌ରେ ଥାଇ ବ୍ୟାଟିଂ କରୁଥିବା ବେଳେ ଏକ ବାଉନ୍ସର ଆସି କୁମ୍ବଲେଙ୍କ ମୁହଁରେ ମାଡ଼ ହୋଇଥିଲା। ଯାହାଫଳରେ ତାଙ୍କ ମୁହଁ ଫାଟିଯିବା ସହ ମାଢ଼ି ମଧ୍ୟ ଭାଙ୍ଗି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ କ୍ରିଜ୍‌ରୁ ପାଭଲିୟନକୁ ଫେରିଥିଲେ ସେ। ସମସ୍ତେ ଭାବିଥିଲେ କୁମ୍ବଲେ ଆଉ ମ୍ୟାଚ୍ଚ ଖେଳି ପାରିବେ ନାହିଁ।

କିନ୍ତୁ, ଯେତେବେଳେ ଭାରତର ବୋଲିଂ କରିବାର ପାଳି ଆସିଲା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୁହଁରେ ବ୍ୟାଣ୍ଡେଜ୍‌ ଭିଡ଼ି ଓହ୍ଲାଇଲେ ପଡ଼ିଆକୁ। ଆଉ ଲଗାତର ଭାବେ ୧୪ ଓଭର ବୋଲିଂ କରି ଲାରାଙ୍କୁ ଆଉଟ କରିବା ସହ ୪ଟି ଓ୍ଵକେଟ ଦଖଲ କରି ପୂରା ଖେଳକୁ ଓଲଟାଇ ରଖି ଦେଇଥିଲେ। ପିଲାମାନଙ୍କୁ ଏହି ଉଦାହାରଣ ଦେବା ସହ କୁମ୍ବଲେଙ୍କ ପରି ମାନସିକତା ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ଏହି ଘଟଣାର ଦୁଇଦିନ ପରେ ଆଜି ଅନୀଲ କୁମ୍ବଲେ ଏକ ଟୁଇଟ୍‌ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କୁମ୍ବଲେ ଲେଖିଛନ୍ତି ଆପଣ ଆପଣଙ୍କ ଭାଷଣରେ ପିଲାମାନଙ୍କୁ ମୋର ଉଦାହାରଣ ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇବା ସହ ନିଜକୁ ଧନ୍ୟ ମନେକରୁଛି। ମୁଁ ମଧ୍ୟ ଆପଣଙ୍କ ସହ ମିଶି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରୁଛି।

News Nation

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ କାର୍ଯ୍ୟକ୍ରମ ସୋମବାର ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଏହା ଥିଲା ତୃତୀୟ ସଂସ୍କରଣ। ଏହି କାର୍ଯ୍ୟକ୍ରମରେ ମୋଦୀ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥିସହ ସେମାନେ ପରୀକ୍ଷା ଜନିତ ଚାପକୁ କେମିତି ମୁକାବିଲା କରିବେ ସେ ସଂକ୍ରାନ୍ତରେ ବିଭିନ୍ନ ଟିପ୍ସ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହଥିଲେ, ଜୀବନରେ ଆସୁଥିବା ବିଫଳତାରେ ନିରାଶ ହୁଅନି କାରଣ ବିଫଳତା ହିଁ ସଫଳତା ଦିଗକୁ ବାଟ କଢ଼ାଇନିଏ। ଏହି ପରିପ୍ରେକ୍ଷୀରେ ମୋଦୀ ଛାତ୍ରଛାତ୍ରୀଙ୍କୁ କୁମ୍ବଲେଙ୍କ ଉଦାହାରଣ ଦେଇଥିଲେ।

ସମ୍ବନ୍ଧିତ ଖବର