ଷଷ୍ଠ ଦିନରେ ଆନ୍ନାଙ୍କ ଅନଶନ:ସରକାର କିଛି ଶୁଣୁନାହାନ୍ତି!

‘ପଦ୍ମଭୂଷଣ’ ଫେରାଇବାକୁ ଧମକ ମୋର କିଛି ହେଲେ ମୋଦୀ ଦାୟୀ ରହିବେ

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ତେବେ ଆନ୍ନାଙ୍କ ଅନଶନ ନେଇ କେନ୍ଦ୍ର ସରକାରଙ୍କ ଆଡ଼ୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନଥିବାରୁ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ବଢ଼ିଛି। ଆନ୍ନାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଥିଲେ ମଧ୍ୟ ଏ ନେଇ ମୋଦୀଙ୍କ ଆଡ଼ୁ କୌଣସି ଜବାବ ମିଳିନାହିଁ। ୮୧ ବର୍ଷୀୟ ଆନ୍ନା ତାଙ୍କ ଧାରଣାର ଷଷ୍ଠ ଦିନରେ କହିଛନ୍ତି ‌ ଯେ ୨୦୧୪ ମସିହାରେ ବିଜେପି ମତେ ବ୍ୟବହାର କରିଥିଲା। ସେ କହିଛନ୍ତି, ସମସ୍ତେ ଜାଣନ୍ତି ଲୋକପାଳ ପାଇଁ ମୋର ଆନ୍ଦୋଳନ ବିଜେପି ଏବଂ ଆପ୍‌କୁ କ୍ଷମତାକୁ ଆଣିଥିଲା। କିନ୍ତୁ କେନ୍ଦ୍ର ସରକାର ଏବେ ମତେ ଭୁଲି ଯାଇଛନ୍ତି। ବିଜେପି ସରକାର କେବଳ ଦେଶକୁ ଭୁଲ୍‌ ବାଟରେ ନେଇ ଯାଉଛନ୍ତି ଏବଂ ବିଜେପି ନେତୃତ୍ବାଧୀନ ମହାରାଷ୍ଟ୍ର ସରକାର ମଧ୍ୟ ଗତ ୪ ବର୍ଷ ଧରି କେବଳ ମିଛ କହୁଛି ବୋଲି ଆନ୍ନା ଅଭିଯୋଗ କରିଛନ୍ତି। ଏହା ସହିତ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ ନକଲେ ସେ ‘ପଦ୍ମଭୂଷଣ’ ପୁରସ୍କାର ଫେରାଇ ଦେବେ ବୋଲି ଧମକ ଦେଇଛନ୍ତି। ମୋର କିଛି ଘଟିଲେ ଏଥିପାଇଁ ମୋଦୀ ସରକାର ହିଁ ଦାୟୀ ରହିବେ ବୋଲି ଆନ୍ନା କହିଛନ୍ତି।
ଅନ୍ୟପକ୍ଷରେ ଆନ୍ନାଙ୍କ ଅନଶନ ଆଜି ‌ଷଷ୍ଠ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ଆସୁନଥିବାରୁ ଶିବସେନା ଏହାର ସମାଲୋଚନା କରିଛି। ଶିବ ସେନା ପକ୍ଷରୁ କୁହାଯାଇଛି ସରକାରଙ୍କୁ ପ୍ରଥମେ ଆନ୍ନାଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ ଏବଂ ପରେ ଅନ୍ୟ କଥା ଚିନ୍ତା କରିବା ଉଚିତ୍‌। ଆନ୍ନା ଅନଶନରୁ ଓହରି ଆନ୍ଦୋଳନର ନେତୃତ୍ବ ନେଲେ ଏହା ଅଧିକ ଫଳପ୍ରଦ ହେବ ବୋଲି ଶିବସେନା କହିଛି। ବିଗତ ୩ ଦିନ ମଧ୍ୟରେ ଆନ୍ନାଙ୍କ ଓଜନ ୩.୮ କିଲୋ କମିଛି। ଆନ୍ନାଙ୍କ ଅନଶନକୁ ସମର୍ଥନ କରି ଆଜି ୫ ହଜାର କୃଷକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ନା ତାଙ୍କ ଅନଶନରେ କୌଣସି ରାଜନେତାଙ୍କୁ ସାମିଲ ହେବାକୁ ଦିଆଯିବ ନାହିଁ ବୋଲି ବୟାନ ଦେଇଥିବାରୁ ଅନଶନସ୍ଥଳରୁ ରାଜନେତାମାନେ ଦୂରେଇ ରହୁଛନ୍ତି। ଅନଶନର ଦ୍ବିତୀୟ ଦିବସରେ ମହାରାଷ୍ଟ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଆନ୍ନାଙ୍କ ସହ ଆଲୋଚନା ପାଇଁ ଅନଶନ ସ୍ଥଳରେ ପହଞ୍ଚିଥିବା ପରେ ଆନ୍ନା କହିଥିଲେ ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିବା ନିରର୍ଥକ। ଏହାପରେ ସରକାର ଅନ୍ୟ କୌଣସି ପ୍ରୟାସ କରିଥିବା ନଜିର୍ ନାହିଁ। ଆନ୍ନାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଅବନତୀ ଘଟିଚାଲିଥିବାରୁ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ତାଙ୍କର ଘନିଷ୍ଠ ସହ‌ଯୋଗୀଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ଲୋକପାଳ ନିଯୁକ୍ତି ନେଇ ପ୍ରକ୍ରିୟା ତ୍ବରାନ୍ବିତ କରିଥିବାରୁ ଏ ବାବଦ ସ୍ଥିତି ନେଇ ଆନ୍ନାଙ୍କୁ ଖୁବଶୀଘ୍ର ସରକାର ଅବଗତ କରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର