ଦ୍ବିତୀୟ ଦିନରେ ଆନ୍ନାଙ୍କ ଅନଶନ, ରା‌ଲେଗାଓଁରେ ବନ୍ଦ ପାଳନ

ଆଲୋଚନାକୁ ପ୍ରତ୍ୟାଖ୍ୟାନ କ‌ଲେ ଆନ୍ନା

ମୁମ୍ବାଇ: ଲୋକପାଳ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆମରଣ ଅନଶନ ଆଜି ଦ୍ବିତୀୟ ଦିନ‌ରେ ପହଞ୍ଚିଛି। ଆନ୍ନା ତାଙ୍କ ନିଜ ଗ୍ରାମ ମହାରାଷ୍ଟ୍ରର ରାଲେଗାଓଁ ସିଦ୍ଧିରେ ଚଳାଇଥିବା ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି। ଆନ୍ନାଙ୍କ ଅନଶନକୁ ସମର୍ଥନ କରି ଆଜି ସ୍ଥାନୀୟ ବ୍ୟବସାୟୀମାନେ ବନ୍ଦ ପାଳନ କରିଥିବା ବେଳେ ଅନଶନସ୍ଥଳରେ ଜନସମାଗମ ବଢ଼ୁଛି। ୮୧ ବର୍ଷୀୟ ଆନ୍ନା ସ୍ବାମୀନାଥନ କମିସନ୍ ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ଜଣେ ଡାକ୍ତର ଏବେ ଆନ୍ନାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଆନ୍ନା ନିଜ ଦାବି ସଂକ୍ରାନ୍ତରେ ଆଲୋଚନା ପାଇଁ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ମନ୍ତ୍ରୀ ଗିରୀଶ ମହାଜନଙ୍କ ସହ କଥା ହେବା ପାଇଁ ମନା‌ କରିଦେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଆନ୍ନାଙ୍କ ସହ ଆଲୋଚନା ପାଇଁ ଅନଶନ ସ୍ଥଳରେ ପହଞ୍ଚିଥିବା ପରେ ଆନ୍ନା କହିଥିଲେ ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିବା ନିରର୍ଥକ। ଡାକ୍ତର ଏବେ ଆନ୍ନାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ତାଙ୍କର ଘନିଷ୍ଠ ସହ‌ଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି। ଯେହେତୁ ଆନ୍ନା ଏବେ ୮୦ ବର୍ଷ ଅତିକ୍ରମ କରି ସାରିଛନ୍ତି, ତେଣୁ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର