୧୭୦୦ କୋଟିର ଆଉ ଏକ ବ୍ୟାଙ୍କ ଠକେଇ

ହାଇଦ୍ରାବାଦରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଦେଶରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଠକେଇ ଘଟଣା ପଦାକୁ ଆସିବାରେ ଲାଗିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ରୁ ୧୩ ହଜାର କୋଟିରୁ ଅଧିକ ଅର୍ଥ ହୀରା ବ୍ୟବସାୟୀ ନିରବ ମୋଦୀ ଠକି ନେଇ ବିଦେଶ ପଳାଇବା ଘଟଣା ଚର୍ଚାର ବିଷୟବସ୍ତୁ ଥିବାବେଳେ ଏବେ ଏହି ବ୍ୟାଙ୍କରୁ ହାଇଦ୍ରାବାଦର ଏକ ଟେଲିକମ୍ ଉପକରଣ ନିର୍ମାଣକାରୀ କମ୍ପାନି ଭିଏମସି ସିଷ୍ଟମ୍‌ସ ୧୭୦୦ କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି। ଏହି ଘଟଣାରେ ସିବିଆଇ ହାଇଦ୍ରାବାଦର ଉକ୍ତ କମ୍ପାନି ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହିତ କମ୍ପାନି ହାଇଦ୍ରାବାଦର ୩ଟି ସ୍ଥାନରେ ଚଢ଼ଉ କରିଛି। ସେଥିରେ କମ୍ପାନିର ନିର୍ଦେଶକମାନଙ୍କ କାର୍ଯ୍ୟାଳୟ ଓ ଘର ରହିଛି। ପିଏନବି ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ଓ ଚଢ଼ଉ ହୋଇଛି। ମାମଲା ରୁଜୁ ହୋଇଥିବା କମ୍ପାନିର ପ୍ରତିଷ୍ଠାତା ମାନଙ୍କ ମଧ୍ୟରେ ରହିଛନ୍ତି ଭୂପାଲପତି ହିମା ବିନ୍ଦୁ, ଭୂପାଲପତି ଭେଙ୍କଟ ରାମା ରାଓ ଏବଂ ଭାଗଭତୁଲା ଭେଙ୍କଟ ରମନ୍ନା। ଉଲ୍ଲେଖଯୋଗ୍ୟ, ପିଏନବି ନେତୃତ୍ବରେ ଏକାଧିକ ବ୍ୟାଙ୍କରୁ ଏହି କମ୍ପାନି ୨୦୦୯ ଅଗଷ୍ଟରେ ୧୦୧୦ କୋଟି ୫୦ ଲକ୍ଷ ଟଙ୍କା ଋଣ ନେଇଥିଲା। ଏବେ ସୁଧ ସହ ମିଶି ଏହି ଋଣ ରାଶି ପ୍ରାୟ ୧୭୦୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିରେ ପିଏନବିର ୫୩୯ କୋଟି ଟଙ୍କା ଥିବାବେଳେ କର୍ପୋରେସନ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଓ ଜେଏମ୍ ଫାଇନାନ୍ସିଆଲ ଆସେଟ୍ସ ରିକନଷ୍ଟ୍ରକସନ କମ୍ପାନିର ୧୨୦୭ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର