ଶାହୀନବାଗ ପ୍ରତିବାଦକାରୀଙ୍କ ବଡ଼ ଦଳ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପାରିବେ ନାହିଁ: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଗୋଟିଏ ଦଳରେ ବହୁସଂଖ୍ୟକ ଶାହୀନବାଗ ‘ସିଏଏ’-ବିରୋଧୀ ପ୍ରତିବାଦକାରୀ ଆସି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପାରିବେ ନାହିଁ। ରବିବାର ଦିନ ଦିଲ୍ଲୀ ପୁଲିସ ଏ କଥା କହିଛି।

ଶାହାଙ୍କୁ ଭେଟିବାକୁ ଚାହୁଁଥିବା ପ୍ରତିବାଦକାରୀମାନେ ଏକ ପ୍ରତିନିଧି ଦଳ ଗଠନ କରନ୍ତୁ। ଉକ୍ତ ପ୍ରତିନିଧି ଦଳକୁ ଶାହାଙ୍କ ସହ ସାକ୍ଷାତ୍‌ କରାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ପୁଲିସ କହିଛି।

‘ସିଏଏ’ ପ୍ରସଙ୍ଗରେ ଆଲୋଚନା କରିବାକୁ ରବିବାର ଦିନ ୨ଟାରେ ସାହୀନବାଗର ପ୍ରତିବାଦକାରୀମାନେ ପଦଯାତ୍ରାରେ ଶାହାଙ୍କ ବାସଭବନକୁ ଯିବେ ବୋଲି ଗତକାଲି ଘୋଷଣା କରିଥିଲେ।

Image Source: Scroll.in

ଯେକୌଣସି ବ୍ୟକ୍ତିଙ୍କ ସହ ‘ସିଏଏ’ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶାହା ଦିନକ ପୂର୍ବରୁ ଏକ ଟିଭି ସାକ୍ଷାତ୍‌କାରରେ କହିଥିଲେ। ଶାହୀନବାଗ ପ୍ରତିବାଦକାରୀଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବେ ବୋଲି ସୂଚନା ଦେଇଥିଲେ। ଏଥିପାଇଁ ସେ ତିନି ଦିନ ସମୟ ଦେଇଥିଲେ। ତିନି ଦିନ ମଧ୍ୟରେ ତାଙ୍କ ଅଫିସ୍‌ ସହ ଯୋଗାଯୋଗ କରି ଆପଏଣ୍ଟ୍‌ମେଣ୍ଟ୍‌ ନେଲେ ଯାଇ କଥାବର୍ତ୍ତା କରିହେବ ବୋଲି ସେ କହିଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶାହୀନବାଗ ପ୍ରତିବାଦକାରୀମାନେ ବିନା ଆପଏଣ୍ଟମେଣ୍ଟ୍‌ରେ ଶାହାଙ୍କୁ ଭେଟିବାକୁ ବାହାରିଛନ୍ତି। ସେମାନେ ପ୍ରତିନିଧି ଦଳ ମଧ୍ୟ ଗଠନ କରି ନାହାନ୍ତି। ସେମାନେ କହିଛନ୍ତି ଯେ ଶାହା ସମସ୍ତଙ୍କର ଗୃହମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଭେଟିବା ନିମନ୍ତେ ସମସ୍ତଙ୍କର ଅଧିକାର ରହିଛି।

ସମ୍ବନ୍ଧିତ ଖବର