ଲୋକପାଳ ନିଯୁକ୍ତିରେ ବିଳମ୍ବ ହେତୁ ‘ପଦ୍ମ ଭୂଷଣ’ ସମ୍ମାନ ଫେରାଇବେ ସମାଜସେବୀ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦେଶର ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମ ଭୂଷଣ’କୁ ଫେରାଇ ଦେବାକୁ ଧମକ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିବା ଭ୍ରଷ୍ଟାଚାର ବିରୋଧୀ ଆନ୍ନା ହଜାରେଙ୍କୁ କେନ୍ଦ୍ର ସରକାର ଉପେକ୍ଷା କରିବା ସହ ତାଙ୍କ ଦାବି ପ୍ରତି ନଜର ଅନ୍ଦାଜ କରୁଥିବା ଅଭିଯୋଗ କରି ଆନ୍ନା ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ, ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ଆନ୍ନା ଆସନ୍ତା ୮ କିମ୍ବା ୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସେ ପାଇଥିବା ‘ପଦ୍ମ ଭୂଷଣ’କୁ ଫେରାଇ ଦେବେ ବୋଲି ପ୍ରକାଶ କରିଛନ୍ତି।

ଏ ସଂପର୍କରେ ଆନ୍ନା କହିଛନ୍ତି କି ‘ଯଦି ସମାଜର ଏପରି ଅବସ୍ଥା ତେବେ ମୁଁ କାହିଁକି ସେ ସମ୍ମାନକୁ ମୋ ପାଖରେ ରଖିବି? ମୁଁ କେବେ ବି ସମ୍ମାନ ଚାହିଁନଥିଲି କି କାହାରିକୁ କେବେ ମୋ ନାମ ସୁପାରିସ କରିବାକୁ  ମଧ୍ୟ କହି ନଥିଲି। ମୋର ଏକମାତ୍ର ଲକ୍ଷ୍ୟ ହେଲା ସମାଜ ଓ ଦେଶର ବିକାଶ। ମୋତେ ଯେଉଁ କାରଣ ପାଇଁ ସମ୍ମାନିତ କରାଯାଇଥିଲା ସେ କାରଣ ଆଉ ଏବେ ବଞ୍ଚି ରହିନାହିଁ। ଯଦି ମୋର କିଛି ହୋଇଯାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିପାଇଁ ଦାୟୀ ରହିବେ।’

ଉଲ୍ଲେଖଯୋଗ୍ୟ, ଦୁର୍ନୀତି ବିରୋଧରେ ସବୁବେଳେ ନିଜ ସ୍ୱର ଉତ୍ତୋଳନ କରୁଥିବା ଆନ୍ନା ଲୋକପାଳ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଆସୁଥିବା ଦେଖିବାକୁ ମିଳିଥିଲା। ତେବେ, ମୋଦି ସରକାର ଶାସନକୁ ଆସିବା ପରେ ସମାଜସେବୀ ଆନ୍ନା ହଜାରେ ତାଙ୍କୁ ଲୋକପାଳ ନିଯୁକ୍ତି ନେଇ ପାଞ୍ଚଟି ଚିଠି ଓ ୩୨ ଥର ଅନୁରୋଧ କରିସାରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ଦର୍ଶାଇ ଆନ୍ନା ଏହି ଅନଶନରେ ବସିଥିବା କହିଛନ୍ତି।

ସମ୍ବନ୍ଧିତ ଖବର