ଭାରତ, ମୋଦିଙ୍କ ବିରୁଦ୍ଧରେ ଲେଖି ଫସିଲା ମାଲଡାଭିସର ସମ୍ବାଦପତ୍ର…

ମାଲଡାଭିସ : ଭାରତର ପଡୋଶୀ ଦେଶ ତଥା ଛୋଟିଆ ଦ୍ୱୀପରାଷ୍ଟ୍ର ମାଲଡାଭିସ୍‌ରେ ଏକ ସରକାରୀ ସମର୍ଥକ ସମ୍ବାଦପତ୍ରରେ ପ୍ରକାଶିତ ଏକ ଭାରତ ବିରୋଧୀ ସଂପାଦକୀୟକୁ ନେଇ ଉକ୍ତ ଦେଶରେ ପ୍ରବଳ ବିରୋଧ ପ୍ରକାଶ ପାଇଛି । ମାଲଡାଭିସ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ମୁଖପତ୍ର କୁହାଯାଉଥିବା ସ୍ଥାନୀୟ ଭାଷାର ଧୀବେହୀ ରେ ପ୍ରକାଶିତ ଏକ ଦୈନିକ ଖବର କାଗଜରେ ଉକ୍ତ ସଂପାଦକୀୟ ପ୍ରକାଶ ପାଇଥିଲା । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୁ ବିଚ୍ଛିନ୍ନତାବାଦୀ ଓ ମୁସଲିମ ବିରୋଧୀ ବୋଲି କୁହାଯାଇଛି । ଭାରତ ଏବେ ମାଲଡାଭିସର ଶତ୍ରୁ ରାଷ୍ଟ୍ରରେ ପରିଣତ ହୋଇଛି ଓ ଚୀନ ଏକ ବନ୍ଧୁର ରାଷ୍ଟ୍ର ବୋଲି ଏଥିରେ କୁହାଯାଇଛି ।

କିନ୍ତୁ ଏହି ସଂପାଦକୀୟକୁ ବିରୋଧ କରିଛି ମାଲଡାଭିସର ପ୍ରମୁଖ ବିରୋଧୀ ଦଳ ମାଲଡିଭିଆନ ଡେମୋକ୍ରାଟିକ୍‌ ପାର୍ଟି । ଦଳର ନେତା ଅହମଦ ନସୀମ କହିଛନ୍ତି ଯେ ଏହି ସମ୍ବାଦପତ୍ରରେ ଯାହା ପ୍ରକାଶିତ ହୁଏ ତାହାକୁ ରାଷ୍ଟ୍ରପତିଙ୍କ ଦପ୍ତର ସବୁଜ ସଂକେତ ଦେଇଥାଏ । ଏଣୁ ଏହା ସରକାରଙ୍କ ଜ୍ଞାତସାରରେ ହୋଇଛି । ଏହା ଭାରତକୁ ସତର୍କ କରିଦେବ । ତେବେ ଭାରତ ସହିତ ମାଲଡାଭିସର ଶତ୍ରୁତା ଉଭୟ ଦେଶଙ୍କ ହିତରେ ନାହିଁ ।
ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ବିରୋଧୀଦଳ ନେତା ମୌମୁନ ଅବଦୁଲ ଗୟୁମ ଓ ମହମ୍ମଦ ନସୀଦ ଭାରତ ସପକ୍ଷରେ ଦୃଢ ସମର୍ଥନ ଜ୍ଞାପନ କରିଛନ୍ତି । ମାଲଡାଭିସର କୌଣସି ଲୋକ ଭାରତକୁ ନିଜର ଶତ୍ରୁ ବୋଲି ଭାବୁନାହାନ୍ତି । ଭାରତ ସବୁବେଳେ ଆମର ବନ୍ଧୁ ହୋଇ ରହିବ । କିନ୍ତୁ ସରକାରଙ୍କ ଭୁଲ ନୀତି ଯୋଗୁଁ ଭାରତ ସହ ସମ୍ପର୍କ ପ୍ରଭାବିତ ହେଉଛି ବୋଲି ସେମାନେ କହିଛନ୍ତି ।

ଭାରତର ଚିନ୍ତା କଣ ? 

ଭାରତର ପଡୋଶୀ ଦେଶ ତଥା ଛୋଟିଆ ଦ୍ୱୀପରାଷ୍ଟ୍ର ମାଲଡାଭିସ୍‌ ବିଗତ ଅନେକ ବର୍ଷ ଧରି ଭାରତର ଏକ ପୁରୁଣା ବନ୍ଧୁ ହୋଇ ରହିଆସିଛି । କିନ୍ତୁ ବିଗତ କିଛି ବର୍ଷ ଧରି ସ୍ଥିତି ବିଦଳିବାରେ ଲାଗିଛି । ଭାରତ ମହାସାଗରରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏଥିଲାଗି ଚୀନ ମାଲଡାଭିସକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଆଡକୁ ଆଣିବାକୁ ଉଦ୍ୟମ କରୁଛି । ମାଲଡାଭିସର ବର୍ତ୍ତମାନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ଚୀନ ଆଡକୁ ଅଧିକ ଢଳୁଥିବାର ସଂକେତ ମିଳିସାରିଛି । ଚୀନ ମଧ୍ୟ ବିଭିନ୍ନ ନିବେଶ ଓ ଆର୍ଥିକ ସହାୟତା ମାଧ୍ୟମରେ ମାଲଡାଭିସକୁ ନିଜ ହାତମୁଠାକୁ ଆଣିବାକୁ ଉଦ୍ୟମ କରୁଛି ।

କିନ୍ତୁ ମାଲଡାଭିସ୍‌ ଚୀନ ଶିବିରକୁ ଚାଲିଗଲେ ଭାରତ ପାଇଁ ତାହା ଏକ ଚିନ୍ତାର ବିଷୟ ହୋଇଯିବ । କାରଣ ପାକିସ୍ତାନର ଗ୍ଵାଦର ବନ୍ଦର ଓ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦର ଏବେ ଚୀନର ହାତମୁଠାରେ ରହିଛି । ଯଦି ମାଲଡାଭିସ ଚୀନ ଆଡକୁ ଯାଏ, ତେବେ ଭାରତର ସମ୍ପୂର୍ଣ୍ଣ ପଶ୍ଚିମ ଭାଗରେ ଚୀନର ଉପସ୍ଥିତି ରହିବ ।

ସମ୍ବନ୍ଧିତ ଖବର