ୟୁପିଏସ୍‌ସି ପରୀକ୍ଷାରେ ଦ୍ୱିତୀୟ ଉଦ୍ୟମରେ ଦ୍ୱିତୀୟ ସ୍ଥାନ ହାସଲ କଲେ ଗୃହିଣୀ ତଥା ଜନନୀ ଅନୁ

ନୂଆଦିଲ୍ଲୀ: ୨୦୧୭ ପାଇଁ ୟୁପିଏସ୍‌ସି ପକ୍ଷରୁ କରାଯାଇଥିବା ସର୍ବ ଭାରତୀୟ ସ୍ତରର ପ୍ରଶାସନିକ ସେବା ପରୀକ୍ଷା ଫଳ ଗତ କାଲି ପ୍ରକାଶ ପାଇଛି। ୟୁପିଏସ୍‌ସି ପକ୍ଷରୁ ଆୟୋଜିତ ଏହି ସର୍ବ ଭାରତୀୟ ସ୍ତରର ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ହରିୟାଣାର ଜନୈକା ୩୧ ବର୍ଷ ବୟସ୍କା ଗୃହିଣୀ ଅନୁ କୁମାରୀ। ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା, ଅନୁ ଜଣେ ଗୃହିଣୀ ହେବା ସହ ତାଙ୍କର ୪ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି।

ଅନୁ, ଦିଳ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ହିନ୍ଦୁ କଲେଜରୁ ପଦାର୍ଥ ବଜ୍ଞାନରେ ଜଣେ ସ୍ନାତକ ହେବା ସହ ନାଗପୁର ଆଇଏମ୍‌ଟିରୁ ଏମ୍‌ବିଏ ଡିଗ୍ରି ହାସଲ କରିବା ପରେ ଏକ ଘରୋଇ କମ୍ପାନିରେ ଦୀର୍ଘ ୯ ଧରି କାର୍ଯ୍ୟ କରୁଥିଲେ। ଘରୋଇ କମ୍ପାନିର ଏଇ ଚାକିରି ତାଙ୍କ ପାଇଁ ଖୁବ୍‌ ଭଲଥିଲା; ଉଚ୍ଚ ବେତନ ମଧ୍ୟ ମିଳଥିଲା। ହେଲେ, ଚାକିରିଟି ଏତେ ପରିମାଣରେ ଯାନ୍ତ୍ରିକ ସ୍ୱଭାବର ଥିଲା ଯେ କିଛି ବର୍ଷ ପରେ ସେ ତାଙ୍କ ଚାକିରିରୁ ନିଯୁକ୍ତି ଜନିତ ଆତ୍ମ ସନ୍ତୋଷ କିଛି ହେଲେ ପାଇ ପାରିଲେ ନାହିଁ। ତହୁଁ, ସେ ଚିନ୍ତା କଲେ ଚାକିରି ପରିତ୍ୟାଗ କରି ଏମିତି କିଛି କାର୍ଯ୍ୟ କରିବେ, ଯାହା ଦ୍ୱାରା ସମାଜ ମଧ୍ୟ କିଛି ପରିମାଣରେ ଲାଭବାନ ହୋଇପାରିବ।

ସେଥିପାଇଁ ଗତ ଦୁଇବର୍ଷ ତଳେ ଚାକିରିରୁ ଇସ୍ତଫା ଦେବା ସହ ୟୁପିଏସ୍‌ସି ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଲେ। ମାତ୍ର, ୨ ମାସର ପ୍ରସ୍ତୁତି ପରେ ପ୍ରଥମ ଥର ପାଇଁ ୨୦୧୬ର ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। ହେଲେ, ମାତ୍ର ୧ ନମ୍ବର କମ୍‌ ରଖିବା କାରଣରୁ ସେ ପ୍ରିଲିମ୍ସରୁ କଟି ଯାଇଥିଲେ। ତେବେ, ଏଥରକ ଦ୍ୱିତୀୟ ଉଦ୍ଦ୍ୟମରେ ଦ୍ୱିତୀୟ ସ୍ଥାନ ରଖି ୟୁପିଏସ୍‌ସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଙ୍କର ସ୍ୱାମୀ ଜଣେ ବ୍ୟବସାୟୀ।

ସମ୍ବନ୍ଧିତ ଖବର