ୟୁପିଏସ୍‌ସି ପରୀକ୍ଷା : ଅନୁଦୀପ ଟପର୍‌

ନୂଆଦିଲ୍ଲୀ : ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସିର ଓ୍ଵବ୍‌ସାଇଟ୍‌ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଚଳିତ ବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚ୍ଚିନ ଗୁପ୍ତାଙ୍କ ନାମ ରହିଛି। ମେରିଟ୍‌ ଲିଷ୍ଟ୍‍ରେ ମୋଟ ୯୯୦ ଜଣଙ୍କ ନାମ ରହିଛି। ଏଥିରେ ୭୫୦ ଜଣ ପୁରୁଷ ଥିବା ବେଳେ ୨୪୦ ଜଣ ହେଉଛନ୍ତି ମହିଳା। ସେଥିମଧ୍ୟରୁ ୪୭୬ ଜଣ ପ୍ରାର୍ଥୀ ସାଧାରଣ ବର୍ଗର ହୋଇଥିବା ବେଳେ ୨୭୫ ଜଣ ଓବିସି, ୧୬୫ ଜଣ ଏସ୍‌ସି ଏବଂ ୭୪ ଜଣ ଏସ୍‌ଟି ପ୍ରାର୍ଥୀ ଥିବା ଜଣାପଡ଼ିଛି। ପରୀକ୍ଷାରେ ଟପର୍‌ ହୋଇଥିବା ଅନୁଦୀପ ଗୁଗଲ୍‌ରେ ପୂର୍ବରୁ କାମ କରିଛନ୍ତି। ୟୁପିଏସ୍‌ସି ଦ୍ୱାରା ସିଭିଲ୍‌ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା ଗତବର୍ଷ ଅକ୍ଟୋବରରେ ହୋଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ-ଏପ୍ରିଲରେ ବ୍ୟକ୍ତିତ୍ୱ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଟପର୍‌ ଅନୁଦୀପ ଏବେ ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌)ରେ ଜଣେ ସହକାରୀ କମିସନର ଭାବେ କାର୍ଯ୍ୟ କରୁଛନ୍ତି। ସେ ଓବିସି ଶ୍ରେଣୀରେ ଆସୁଥିବା ବେଳେ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଷ୍ଟମେଣ୍ଟେସନରେ ଡିଗ୍ରି ହାସଲ କରିଛନ୍ତି। ଗତ ବର୍ଷର ଟପର୍‌ ନନ୍ଦିନୀ କେଆର୍‌ ମଧ୍ୟ ଓବିସି ଶ୍ରେଣୀର ଥିଲେ।

ଓଡ଼ିଶାରୁ ମଧ୍ୟ ଅନେକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଶୁଭଙ୍କର ମହାପାତ୍ର, ସମ୍ବିତ ମିଶ୍ର, ଅଭିନାଶ ମିଶ୍ର, ସମିତ ପଣ୍ଡା, ପାରୁଲ ପଣ୍ଡା, ସ୍ୱେତା ମିଶ୍ର, ଅମରନାଥ ଓଝା, ହୃଦୟ କୁମାର ଦାସ, ସମୀର କୁମାର ଜେନା, ମନୋରଞ୍ଜନ ବେହେରା, ଆଶିଷ କୁମାର ସାହୁ, ବେଦଭୂଷଣ, ସୁଧାଂଶୁ ନାଏକ ପ୍ରମୁଖ।

ଓଡ଼ିଆ ପରୀକ୍ଷାର୍ଥୀଙ୍କ ମତାମତ

ପିଲାଦିନର ସ୍ୱପ୍ନ ସାକାର ହେଲା
ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀବିହାରର ଶୁଭଙ୍କର ମହାପାତ୍ର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୪୬ତମ ର‍୍ୟାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଶାସନିକ ସେବା ପାଇଁ ପିଲାବେଳୁ ଲକ୍ଷ୍ୟ ଥିଲା। ପ୍ରଥମେ ୨୦୧୫ରେ ଆଇଆର୍‌ଏସ୍‌ ଏବଂ ପରେ ୨୦୧୬ ଆଇପିଏସ୍‌ ହେବାର ସୌଭାଗ୍ୟ ଜୁଟିଥିଲା। ଏସ୍‌ସିବିରୁ ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ୮ ଘଣ୍ଟା ପ୍ରସ୍ତୁତି କରୁଥିଲି। ଏବେ ଆଇଆର୍‌ଏସ୍‌ ଭାବେ ଗୁରୁଗାଓଁରେ ପ୍ରଶିକ୍ଷଣ ନେଉଥିଲେ ହେଁ ପୁଲିସ୍‌ ସେବା ପାଇଁ ଇଚ୍ଛା ନଥିବାରୁ ଆଇଏଏସ୍‌ ହେବା ପାଇଁ ପରିଶ୍ରମ କରୁଥିଲି। ବାପା କରୁଣାକର ମହାପାତ୍ର ଓ ମା’ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ପ୍ରେରଣା ସହ ଆଇଏଏସ୍‌ ହେବାର ଦୁର୍ବାର ଇଚ୍ଛା ମତେ ଏଇ ସଫଳତା ଦେଇଛି ବୋଲି ସେ କହିଛନ୍ତି। ଡାକ୍ତରୀ ସେବା ପ୍ରତି ମଧ୍ୟ ଇଚ୍ଛା ଥିବା ସେ କହିଛନ୍ତି।
ଶୁଭଙ୍କର ମହାପାତ୍ର (ଆଇଏଏସ୍‌-୪୬ ର‍୍ୟାଙ୍କ୍‌)

ବୈଦେଶିକ ସେବା ପାଇଁ ଇଚ୍ଛା ଅଛି
ଗଂଜାମ ଭଂଜନଗରର ମୂଳ ବାସିନ୍ଦା ମନୋରଂଜନ ବେହେରା ୬୮୪ ର‍୍ୟାଙ୍କ୍‌ରେ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେ ୫ମ ଚେଷ୍ଟାରେ ଏହି ସଫଳତା ପାଇଛନ୍ତି। ଶ୍ରୀ ବେହେରା ସଂପ୍ରତି ନିଜ ପିତାମାତାଙ୍କ ସହ ବିଜେବି ନଗରରେ ରହୁଥିବା ବେଳେ ସଫଳତାର ଶ୍ରେୟ ତାଙ୍କ ପିତା ନିରାକାର ବେହେରା ଏବଂ ସଂଯୁକ୍ତା ବେହେରାଙ୍କୁ ଦେଇଛନ୍ତି। ମୁଁ ରାଉରକେଲାରେ ଏନ୍‌ଆଇଟିରୁ ୨୦୧୩ରେ ବିଟେକ୍‌ ପାସ୍‌ କରିବା ପରେ ପ୍ରସ୍ତୁତ ହେଉଥିଲି। ମୁମ୍ବାଇରେ ସିଡ୍‌ବିରେ ଦେଢ଼ବର୍ଷ କାମ କରୁଥିଲେ ହେଁ ଚାକିରି ଛାଡ଼ି ପୁଣି ପ୍ରସ୍ତୁତି କରିଥିଲି। ସୋସିଓଲୋଜି ଅପ୍‌ସନାଲ୍‌ ରଖି ଦିନକୁ ୭-୮ଘଣ୍ଟା ପରିଶ୍ରମ କରୁଥିଲି। ତେଣୁ ସମାଜସେବା ସହ ଭାରତୀୟ ବୈଦେଶିକ ସେବା ପାଇଁ ବହୁତ ଇଚ୍ଛା ଅଛି ବୋଲି ଶ୍ରୀ ବେହେରା କହିଛନ୍ତି।
ମନୋରଂଜନ ବେହେରା (ଆଇଏଏସ୍‌-୮୨୬ ର‍୍ୟାଙ୍କ୍‌)

ବରଗଡ଼ର ବେଦଭୂଷଣ ଓ ପାରୁଲଙ୍କ ସଫଳତା

ସମ୍ବଲପୁର/ବରଗଡ଼ : ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ବରଗଡ଼ର ଦୁଇ ସନ୍ତାନ ବେଦଭୂଷଣ ଓ ଇଂ.ପାରୁଲ ପ୍ରଧାନ। ପ୍ରଥମ ସୁଯୋଗରେ ୨୪ ବର୍ଷୀୟ ବେଦଭୂଷଣ ୨୯୩ ର‍୍ୟାଙ୍କ ରଖିଥିବା ବେଳେ ତୃତୀୟ ସୁଯୋଗରେ ୩୨୦ ର‍୍ୟାଙ୍କ ସହ ସଫଳ ହୋଇଛନ୍ତି ପାରୁଲ। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡୁଂଗୁରିପାଲି ଗାଁର ମୂଳନିବାସୀ ବେଦଭୂଷଣଙ୍କ ପିତା ସୋମଦତ୍ତ ଏବେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୨(ବୁର୍ଲା)ରେ ଅଧ୍ୟକ୍ଷ ଅଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପରେ ବେଦଭୂଷଣ ରେଭେନ୍‌ସାରୁ ପଦାର୍ଥ ବିଜ୍ଞାନରେ ବିଏସ୍‌ସି ଡିଗ୍ରି ହାସଲ କରିଥିଲେ। ପଣ୍ଡିଚେରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏମ୍‌ଏସ୍‌ସି ଶିକ୍ଷାପ୍ରାପ୍ତି ପରେ ମାତ୍ର ୬ ମାସ ପର୍ଯ୍ୟନ୍ତ ରାଜନୀତି ବିଜ୍ଞାନ ବିଷୟରେ ଦିଲ୍ଲୀରେ କୋଚିଂ ନେଇଥିଲେ। ଦିଲ୍ଲୀରୁ ଫେରିବା ପରେ ସମ୍ବଲପୁର ଅଇଁଠାପାଲି ଡାଏଟ୍‌ରୋଡରେ ଥିବା ଭଡ଼ାଘରେ ରହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇ ଥିଲେ। ବେଦଭୂଷଣଙ୍କ ମା’ ସୁରଭି ସାହୁ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ଆର୍ଯ୍ୟ ସମାଜ ସହ ସଂପୃକ୍ତ ଥିବାରୁ ନିଜ ପିତା ସୋମଦତ୍ତଙ୍କ ଭଳି ବେଦଭୂଷଣ ମଧ୍ୟ ନିଜ ନାମ ସହ ସାଂଗିଆ ରଖି ନାହାନ୍ତି।

ବରଗଡ଼ ସହର ଗଂଗାଧର ନଗର ବାସିନ୍ଦା ହେଉଛନ୍ତି ପାରୁଲ ପ୍ରଧାନ। ପାରୁଲଙ୍କ ପିତା ସୂର୍ଯ୍ୟଜୋତି ପ୍ରଧାନ ଏବେ କୋଲ୍‌କାତାର ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି। ମା ଚାରୁସ୍ମିତା ହେଉଛନ୍ତି ଗୃହିଣୀ। ୨୦୦୨ ମସିହାରେ କଟକ କେନ୍ଦ୍ରୀୟ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍‌ କରିଥିବା ପାରୋଲ ସର୍ବଭାରତୀୟ ସ୍ତରରେ ପଞ୍ଚମ ସ୍ଥାନ ହାସଲ କରିଥିଲେ। ରାଉରକେଲା ଏନ୍‌ଆଇଟିରେ ଇଲେକ୍‌ଟ୍ରୋନିକ୍ସ ଇନ୍‌ଷ୍ଟମେଣ୍ଟସନ ବିଷୟରେ ଡିଗ୍ରି ହାସଲ ପରେ ପାରୋଲ ଏବେ ଏନ୍‌ଟିପିସି କଣିଁହାରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର