ପଠାନକୋଟରେ ମୁତୟନ ହେବ ଆପାଚେ ହେଲିକପ୍ଟର, ଆମେରିକାରୁ ଏହାକୁ କିଣିଥିଲା ଭାରତ 

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦୁର୍ଦ୍ଧଷ ଲଢୁଆ ହେଲିକପ୍ଟର କୁହାଯାଉଥିବା ଆପାଚେ ଭାରତୀୟ ବାୟୁସେନାରେ ସାମିଲ କରାଯିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ବାୟୁସେନାକୁ ଏହି ବିମାନ ମିଳିବାକୁ ଥିବାବେଳେ ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିବ | ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକପ୍ଟର ଆସିବାକୁ ଥିବାବେଳେ ଔପଚାରିକ ଭାବେ ଅଗଷ୍ଟ ଶେଷ ସପ୍ତାହରେ ବାୟୁସେନାରେ ଏହାକୁ ସାମିଲ କରାଯିବ |

Photo-Indiatoday

ଏହି ଆପାଚେ ହେଲିକପ୍ଟରକୁ ପଠାନକୋଟରେ ମୁତୟନ କରାଯିବାକୁ ଯୋଜନା କରାଯାଇଥିବାବେଳେ ଏଥିରେ ଦୁଇଜଣ ଚାଳକ ବସିବାର ବ୍ୟବସ୍ଥା ରହିଛି | ସେହିପରି ଷ୍ଟ୍ରିଙ୍ଗର ମିସାଇଲ, ୩୦ ମିଲିମିଟରର ଦୁଇଟି ମେସିନ ଗନ ଓ ଟ୍ୟାଙ୍କରୋଧୀ ହେଲିଫାୟାର ମିସାଇଲ ପ୍ରଣାଳୀ ଲଗାଯାଇଛି | ଭାରତ ଆମେରିକା ପାଖରୁ ୨୨ଟି ଆପାଚେ ହେଲିକପ୍ଟର କିଣିଛି |

ବାୟୁସେନାର ଅଧିକାରୀଙ୍କ କହିବା ମୁତାବକ ଆପାଚେ ହେଲିକପ୍ଟରକୁ ଆମେରିକା ବାୟୁସେନାର ଏଏଏନ ୨୨୪ ମାଲବାହୀ ବିମାନ ମାଧ୍ୟମରେ ହିଣ୍ଡନ ଏୟାରବେସକୁ ଅଣାଯିବ | ୨୦୨୦ ସୁଦ୍ଧା ସମସ୍ତ ଆପାଚେ ହେଲିକପ୍ଟର ବାୟୁସେନାକୁ ମିଳିଯିବ |

ସମ୍ବନ୍ଧିତ ଖବର