Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭାରତରେ ବୃଦ୍ଧି ପାଉଛି ବିବାହ ବିଚ୍ଛେଦ! ଛାଡ଼ପତ୍ର ଆଇନ୍‌ର ସରଳୀକରଣ କଲେ ସୁପ୍ରିମ୍‌ କୋର୍ଟ

0 1,234

ନୂଆଦିଲ୍ଲୀ: ଭାରତରେ ପତି- ପତ୍ନୀଙ୍କ ମଧ୍ୟରେ ଆଇନ୍‌ ସମ୍ମତ ବିବାହ ବିଚ୍ଛେଦ ବା ଛାଡ଼ପତ୍ର (ଡିର୍ଭୋସ୍‌) ଏକ ବେଶ୍‌ ଜଟିଳ ପ୍ରକ୍ରିୟା। ଏହି କାରଣରୁ ଅନେକ ପତି- ପତ୍ନୀଙ୍କ ମଧ୍ୟରେ ଗୁରୁତର ମତାନ୍ତର, ମନାନ୍ତର ରହିଥିଲେ ସୁଦ୍ଧା ସେମାନେ ପାରସ୍ପରିକ ବୁଝାମଣା ଭିତ୍ତିରେ ଛାଡ଼ପତ୍ର ପାଇଁ ନାୟ୍ୟାଳୟର ଦ୍ୱାରସ୍ଥ ହେବା ଅପେକ୍ଷା ବରଂ ଅଶାନ୍ତି ମଧ୍ୟରେ ଇଚ୍ଛା ବିରୁଦ୍ଧରେ ଏକତ୍ର ରହି ଅବଶିଷ୍ଟ ଜୀବନକୁ ବିତାଇଦେବା ପାଇଁ ଅଧିକ ଶ୍ରେୟସ୍କର ମନେ କରିଥାଆନ୍ତି। କିନ୍ତୁ, ଏହାଦ୍ୱାରା ସେମାନଙ୍କ ନିଜ ନିଜର ଜୀବନ ଅଶାନ୍ତ ଓ ଦୁର୍ବିସହ ହେବା ସହ ସେମାନଙ୍କ ସହ ସଂପର୍କିତ ଅନ୍ୟମାନେ ମଧ୍ୟ ଏହି କାରଣକୁ ନେଇ ଅନେକ ପ୍ରକାରର ଦୁଃଖ କଷ୍ଟ ଭୋଗ କରିଥାଆନ୍ତି। ଏହା ଯେତେ ଅପ୍ରିୟ ହେଲେ ମଧ୍ୟ ସତ୍ୟ।

ହେଲେ, ସୁଖର କଥା; ବିଳମ୍ବରେ ହେଲେ ସୁଦ୍ଧା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଏହି ଅପ୍ରିୟ ସତ୍ୟର ବାସ୍ତବତାକୁ ହୃଦୟଙ୍ଗମ କରିଛନ୍ତି ଏବଂ ପାରସ୍ପରିକ ବୁଝାମଣା ଭିତ୍ତିରେ ଆଗତ ହେଉଥିବା ଛାଡ଼ପତ୍ର ମାମଲା ଗୁଡ଼ିକର ବିଚାର ଏଣିକି ଛଅ ମାସ ମଧ୍ୟରେ ଶେଷ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତରେ ବିବାହିତ ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ଉଭୟ ଆଇନ୍‌ ଏବଂ ସାମାଜିକ ଦୃଷ୍ଟିରୁ ଏତେଟା ସହଜ ସାଧ୍ୟ ବ୍ୟାପାର ନୁୁହେଁ। ଏହି ଦୃଷ୍ଟିରୁ ଭାରତରେ ବିବାହ ବିଚ୍ଛେଦ ବା ଛାଡ଼ପତ୍ରର ହାର ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍‌। ଭାରତରେ ପ୍ରତି ୧ହଜାର ବିବାହରେ ମାତ୍ର ୧୩ଟି ବିବାହ ବିଚ୍ଛେଦ ଘଟଣା ଘଟୁଥିବା ବେଳେ ଇଂଲଣ୍ଡରେ ପ୍ରତି ୧୦୦୦ ବିବାହରେ ୫୦୦ଟି ବିବାହ ବିଚ୍ଛେଦ ଘଟିଥାଏ। ତେବେ, ପ୍ରତିବର୍ଷ ଦେଶର ମୁମ୍ବାଇରେ ୭୫୦୦ ଓ ନୂଆଦିଲ୍ଲୀରେ ୯୦୦୦ ଦମ୍ପତି ପରସ୍ପର ମଧ୍ୟରେ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବା ବେଳେ ବେଙ୍ଗାଲୁରୁରେ ଏମାନଙ୍କ ସଂଖ୍ୟା ୩୦୦୦ ରହିଛି। ତେବେ, ଏକ ସର୍ଭେରୁ ଜଣାପଡ଼ିଛି ଯେ ଆମ ଦେଶରେ ଏବେ ପ୍ରାୟ ୫୫ ହଜାରରୁ ଉର୍ଦ୍ଧ୍ୱ ଛାଡ଼ପତ୍ର ବା ବିବାହ ବିଚ୍ଛେଦ ମାମଲା ବିଭିନ୍ନ ନ୍ୟାୟାଳୟରେ ବିଚାର ଅପେକ୍ଷାରେ ପଡ଼ିରହିଛି।

ଉଲ୍ଲେଖଯୋଗ୍ୟ, ଆମ ନ୍ୟାୟ ବ୍ୟବସ୍ଥାରେ ଛାଡ଼ପତ୍ର ବା ବିବାହ ବିଚ୍ଛେଦ ଏକ ଜଟିଳ ପ୍ରକ୍ରିୟା। ଏସବୁ ମାମଲାରେ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ, ବିଚାର ପ୍ରକ୍ରିୟା ସରିବା ପାଇଁ ୧ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। କାରଣ, ଏସବୁ ମାମଲାରେ କୌଣସି ପ୍ରକାରର ଶେଷ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ନ୍ୟାୟାଳୟ ଆବେଦନକାରୀ ଦମ୍ପତିଙ୍କୁ ଆପୋସ ବୁଝାମଣା ଭିତ୍ତିରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିଥାଆନ୍ତି। ତେଣୁ, ବିଚାର ବିଭାଗର ଜଟିଳ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ବିବାହ ବିଚ୍ଛେଦ ଚାହୁଁଥିବା ଦମ୍ପତିମାନେ ପରସ୍ପର ମଧ୍ୟରେ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଅପେକ୍ଷା ବରଂ ଅଶାନ୍ତି ସତ୍ତ୍ୱେ ଏକତ୍ର ରହିବାକୁ ବାଧ୍ୟ ହୋଇ ଥାଆନ୍ତି। ବିଳମ୍ବରେ ହେଲେ ସୁଦ୍ଧା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ସତ୍ୟତାକୁ ଉପଲବ୍ଧି କଲାପରେ ଏବେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଛଅ ମାସର ସମୟ ମଧ୍ୟରେ ଯେଉଁ ଦମ୍ପତିମାନଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ବାଟ ନ ଫିଟୁଛି ତେବେ ତୁରନ୍ତ ସେମାନଙ୍କ ମାମଲାର ବିଚାର ପ୍ରକ୍ରିୟାକୁ ଶେଷ କରି ସେମାନଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରି ଦେଇଦେବାର ଆବଶ୍ୟକତା ରହିଛି।

ବିଳମ୍ବରେ ହେଲେ ସୁଦ୍ଧା ଦେଶର ସର୍ବୋଚ୍ଚ ନ୍ୟାୟାଳୟ  ଏହି ଅପ୍ରିୟ ସତ୍ୟର ବାସ୍ତବତାକୁ ହୃଦୟଙ୍ଗମ କରିଛନ୍ତି ଏବଂ ପାରସ୍ପରିକ ବୁଝାମଣା ଭିତ୍ତିରେ ଆଗତ ହେଉଥିବା ଛାଡ଼ପତ୍ର ମାମଲା ଗୁଡ଼ିକର ବିଚାର ଏଣିକି ଛଅ ମାସ ମଧ୍ୟରେ ଶେଷ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ହିନ୍ଦୁ ବିବାହ ଆଇନ ୧୯୫୫ ଅନୁଯାୟୀ, ଯଦି କୌଣସି ଦମ୍ପତି ପରସ୍ପର ମଧ୍ୟରେ ମତାନ୍ତର ଅଥବା ମନାନ୍ତର କାରଣୁରୁ ଏକବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଅଲଗା ଅଲଗା ରହୁଥିବେ, ତେବେ ସେ କ୍ଷେତ୍ରରେ ସେମାନେ ବିବାହ ବିଚ୍ଛେଦ ଆଇନର ଧାରା ୧୩-ବି ଆଧାରରେ ପରସ୍ପର ମଧ୍ୟରେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ତେବେ, ଏକ୍ଷେତ୍ରରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଦମ୍ପତଙ୍କୁ ପରସ୍ପର ମଧ୍ୟରେ ଆପୋସ ବୁଝାମଣା କରି ମାମଲାର ସମାଧାନ କରିବା ପାଇଁ ୬ମାସର ସମୟ ଦେବାକୁ ବ୍ୟବସ୍ଥା ରହିଥିଲା। ହେଲେ, ଏ ବ୍ୟବସ୍ଥା ଛାଡ଼ପତ୍ର ପାଇଁ ଦମ୍ପତିଙ୍କ ମଧ୍ୟରେ ଫଳପ୍ରଦ ହେବା ପରିବର୍ତ୍ତେ ଅଧିକ ବିବାଦ ସୃଷ୍ଟି କରୁଥିଲା।

ଏହି ସତ୍ୟତାକୁ ଉପଲବ୍ଧି କଲାପରେ ଏବେ ସୁପ୍ରିମ୍‌ କୋର୍ଟର ନ୍ୟାୟମୂର୍ତ୍ତି ଏକେ ଗୋୟଲ ଓ ୟୁୟୁ ଲଲିତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବିବାହ ବିଚ୍ଛେଦ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ହିନ୍ଦୁ ବିବାହ ଆଇନର ୧୩-ବି(୨) ଧାରାରେ ଯେଉଁ ୬ମାସର ସମୟ ସୀମା (କୁଲିିଂ ପିରିୟଡ୍‌) ଥିଲା ତାହାକୁ ଆଉ ବାଧ୍ୟତାମୂଳକ କରି ରଖି ନାହାନ୍ତି। ଖଣ୍ଡପୀଠର ବିଚରପତି ଦ୍ୱୟ କହିଛନ୍ତି ଯେ ଅନେକ କ୍ଷେତ୍ରରେ ଆମେ ଯେତେବେଳେ ଉପଲବ୍ଧି କରୁଛୁ ଯେ ପତି- ପତ୍ନୀ ଏକ ବର୍ଷ ନୁହେଁ ବରଂ ଏକାଧିକ ବର୍ଷ ଧରି ଅଲଗା ରହିବା ପରେ ଛାଡ଼ପତ୍ର ପାଇଁ ଆବେଦନ କରୁଛନ୍ତି, ସେ କ୍ଷେତ୍ରରେ ଆଉ ଏ ‘କୁଲିଂ ପିରିୟଡ୍‌’ର କୌଣସି ଆବଶ୍ୟକତା ନଥାଇ ପାରେ। ତେବେ, ଯେଉଁମାନେ ନିଜେ ନିଜ ଆଡ଼ୁ ଚାହିଁବେ ସେମାନେ କେବଳ ଏହି ‘କୁଲିଂ ପିରିୟଡ୍‌’ ସମୟକୁ ଆପୋସ ସମାଧାନ ପାଇଁ ବ୍ୟବହାର କରି ପାରିବେ। ଅନ୍ୟଥା ସେମାନଙ୍କର ଛାଡ଼ପତ୍ର ଆବେଦନର ଚୂଡ଼ାନ୍ତ ବିଚାର ସଂପୃକ୍ତ ଅଦାଲତ ଯଥାଶୀଘ୍ର ଶେଷ କରିବେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି କ୍ଷମତା କେବଳ ମାତ୍ର ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ରହିଥିଲା। ଏବେ ସୁପ୍ରିମ୍‌ କୋର୍ଟଙ୍କ ଏ ନିର୍ଦେଶ ପରେ ଦେଶର ବିଭିନ୍ନ ନ୍ୟାୟାଳୟରେ ବିରାର ଅପେକ୍ଷାରେ ପଡ଼ି ରହିଥିବା ଛାଡ଼ପତ୍ର ମାମଲା ଗୁଡ଼ିକର ବିଚାର ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

one + 18 =