ଦିଲ୍ଲୀରେ ଆପ୍‌-କଂଗ୍ରେସ ମହାମେଣ୍ଟ!

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ମଧ୍ୟରେ ମେଣ୍ଟ ଗଠନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଆପ୍‌ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଉଭୟ ଦଳ ଏ ନେଇ ଗୋପନ ଚର୍ଚ୍ଚା ଜାରି ରଖିଛନ୍ତି ଏବଂ ଠିକ୍‌ ସମୟରେ ମେଣ୍ଟ ଘୋଷଣା ହେବ। ଦିଲ୍ଲୀ ପ୍ରଦେଶ କଂଗ୍ରେସର କେତେକ ନେତା ଏହି ମେଣ୍ଟକୁ ବିରୋଧ କରୁଥିବାରୁ ଘୋଷଣା ବିଳମ୍ବ ହେଉଛି ବୋଲି ଜଣେ ଆପ୍‌ ନେତା କହିଛନ୍ତି। ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ କଂଗ୍ରେସ ଓ ଆପ୍‌ ମଧ୍ୟରେ ବୁଝାମଣା ହେଲେ ବିଜେପି ଗୋଟିଏ ବି ଆସନ ପାଇବ ନାହିଁ ବୋଲି ଜଣେ ବରିଷ୍ଠ ଆପ୍‌ ନେତା କହିଛନ୍ତି। ଦିଲ୍ଲୀ ଓ ପଞ୍ଜାବରେ ଉଭୟ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଏବେ ଦିଲ୍ଲୀରେ ବିଜେପିକୁ ଟକ୍କର ଦେବା କଷ୍ଟକର ହେଉଥିବାରୁ ସେମାନେ ହାତ ମିଳାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଡିଏମ୍‌କେ କାର୍ଯ୍ୟକ୍ରମରେ ଷ୍ଟାଲିନ୍‌ଙ୍କ ପ୍ରସ୍ତାବ
ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ରାହୁଲ

ଚେନ୍ନାଇ: ଡିଏମ୍‌କେର ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଦଳର ସଭାପତି ଏମ୍‌ କେ ଷ୍ଟାଲିନ୍‌ ରବିବାର କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ରାହୁଲଙ୍କ ନେତୃତ୍ବରେ କଂଗ୍ରେସର ବିଜୟ ତାଙ୍କ ସ୍ଥିତିକୁ ସୁଦୃଢ଼ କରିଛି ଏବଂ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଡିଏମ୍‌କେ ଚାହୁଛି ବୋଲି ଷ୍ଟାଲିନ୍‌ କହିଛନ୍ତି। ଫାସିବାଦୀ ମୋଦୀ ସରକାରର ପତନ ଘଟାଇବା ପାଇଁ ରାହୁଲଙ୍କ ସାମର୍ଥ୍ୟ ରହିଛି ଏବଂ ସମସ୍ତ ବିରୋଧୀ ଦଳ ଏକଜୁଟ ହେଲେ ଏହା ସହଜ ହେବ ବୋଲି ଷ୍ଟାଲିନ୍‌ କହିଛନ୍ତି। କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌, ରଜନୀକାନ୍ତ ପ୍ରମୁଖ ୩୦ରୁ ଊର୍ଦ୍ଧ୍ବ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର