ଆରିଫ୍‌ ଅଲ୍‌ଭି ପାକ୍‌ର ନୂଆ ରାଷ୍ଟ୍ରପତି

ଇସ୍‌ଲାମାବାଦ: ପାକିସ୍ତାନର ନୂଆ ରାଷ୍ଟ୍ରପତି ଭାବେ ମଙ୍ଗଳବାର ଡ. ଆରିଫ୍‌ ଅଲ୍‌ଭି ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଅଲ୍‌ଭି ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ଦଳ ତରଫରୁ ସେ ପ୍ରତିନିଧିତ୍ୱ କରିଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରାର୍ଥୀ ଐତ୍‌ଜାଜ୍‌ ଅହସାନ୍‌ ଏବଂ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ଏନ୍‌ (ପିଏମ୍‌ଏଲ୍‌ଏନ୍‌) ପ୍ରାର୍ଥୀ ମୌଲାନା ଫଜଲ୍‌ ଉର୍‌ ରେହମାନ୍‌ଙ୍କୁ ସେ ପରାସ୍ତ କରିଛନ୍ତି।
ସୂଚନା ମୁତାବକ ଆଜି ପାକିସ୍ତାନର ନ୍ୟାସ୍‌ନାଲ୍‌ ଆସେମ୍ବ୍ଲି ଏବଂ ସିନେଟ୍‌ରେ ମତଦାନ ହୋଇଥିଲା। ତେବେ ମୋଟ ୪୩୦ ଭୋଟ୍‌ ମଧ୍ୟରୁ ଅଲ୍‌ଭିଙ୍କୁ ସର୍ବାଧିକ ୨୧୨ଟି ଭୋଟ୍‌ ମିଳିଥିବା ବେଳେ ରେହମାନ୍‌ଙ୍କୁ ୧୩୧ ଏବଂ ଅହସାନ୍‌ଙ୍କୁ ୮୧ଟି ମିଳିଥିଲା। ୬ଟି ଭୋଟ୍‌ ନାକଚ ହୋଇଯାଇଥିଲା। ସର୍ବାଧିକ ଭୋଟ୍‌ ପାଇବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅନ୍ୟତମ ନିକଟତମ ସହଯୋଗୀ ଅଲ୍‌ଭି ପାକିସ୍ତାନର ୧୩ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର