ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଉଦ୍ଦେଶ୍ୟ ପ୍ରଣୋଦିତ’: ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଜମ୍ମୁ- କଶ୍ମିର ପ୍ରସଙ୍ଗରେ ମିଳିତ ଜାତିସଂଘ (ୟୁଏନ୍‌) ପକ୍ଷରୁ ପ୍ରକାଶିତ ବିବାଦୀୟ ରିପୋର୍ଟକୁ ଭାରତୀୟ ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ ଆଜି (ବୁଧବାର) ଅସ୍ୱୀକାର କରିବା ସହ ଏହି ରିପୋର୍ଟକୁ ‘ଉଦ୍ଦେଶ୍ୟ ପ୍ରଣୋଦିତ’ ବୋଲି କହିଛନ୍ତି। ‘ମିଳିତ ଜାତିସଂଘ ପକ୍ଷରୁ ଜମ୍ମୁ- କଶ୍ମିର ପ୍ରସଙ୍ଗରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଉପରେ କୌଣସି ପ୍ରକାରର ମତ ମନ୍ତବ୍ୟ ଦେବାକୁ ମୁଁ ଉଚିତ୍‌ ମନେ କରୁନାହିଁ। କାରଣ ଏହା ସଂପୂର୍ଣ୍ଣ ରୂପେ ଉଦ୍ଦେଶ୍ୟ ପ୍ରଣୋଦିତ’, ବୋଲି କହିଛନ୍ତି ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌। ଏଥି ସହିତ ମିଳିତ ଜାତିସଂଘର ଏହି ରିପୋର୍ଟକୁ ଆଦୌ କୌଣସି ପ୍ରକାରର ଗୁରୁତ୍ୱ ଦିଆଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।


‘ଭାରତୀୟ ସେନା ମାନବାଧିକାର କେତେ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରେ, ତାହା ସମସ୍ତ ଭାରତୀୟଙ୍କ ସହ ସମଗ୍ର ଦେଶବାସୀ ଜାଣନ୍ତି। ତେଣୁ, ଏହା ଉପରେ ଆଉ କୌଣସି ପ୍ରକାରର ଆଲୋଚନା କିଛି ମାନେ ରଖେ ନାହିଁ’ ବୋଲି ସେନାମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି। ଭାରତ ସରକାର ମିଳିତ ଜାତିସଂଘ ପକ୍ଷରୁ ଜମ୍ମୁ- କଶ୍ମିର ପ୍ରସଙ୍ଗରେ ପ୍ରକାଶିତ ଏହି ରିପୋର୍ଟର ତୀବ୍ର ବିରୋଧ କରିବାର ଦିନକ ପରେ ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌ ଏହି ରିପୋର୍ଟ ଉପରେ ନିଜର ଏପରି ପ୍ରତିକ୍ରିୟା ରଖିଛନ୍ତି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ନିକଟ ଅତୀତରେ ମିଳିତ ଜାତିସଂଘ ପକ୍ଷରୁ ଜମ୍ମୁ- କଶ୍ମିର ପ୍ରସଙ୍ଗରେ ୪୯ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଜମ୍ମୁ- କଶ୍ମିରରେ ଉଭୟ ଭାରତ ଓ ପାକିସ୍ତାନ ମାନବ ଅଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ କରା ଯାଇଥିଲା।

ସମ୍ବନ୍ଧିତ ଖବର