ସିଆଚେନ ଗସ୍ତରେ ସେନାମୁଖ୍ୟ ନରଓ୍ଵାଣେ, ଯବାନମାନଙ୍କ ସହ ଭୋଜନ କଲେ

ଶ୍ରୀନଗର : ସେନମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ଗୁରୁବାର ଦିନ ସିଆଚେନ ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ଯବାନମାନଙ୍କ ସହ ମତବିନିମୟ କରିବା ସହ ସେମାନଙ୍କ ସହ ଭୋଜନ କରିଛନ୍ତି । ଚାରିପଟେ ଥିବା ବରଫ ପାହାଡ଼ ମଧ୍ୟରେ ସେନାମୁଖ୍ୟ ଯବାନମାନଙ୍କ ସହ ଖାଉଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଜେନେରାଲ ନରଓ୍ଵାଣେ ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ସିଆଚେନରେ ମୁତୟନ ଥିବା ୪ ଜଣ ସେନା ଯବାନଙ୍କୁ ସେନାମୁଖ୍ୟ ସମ୍ମାନ ପ୍ରଦାନ କରିଥିଲେ । ଏହା ସହିତ ସେ ଯୁଦ୍ଧ ସ୍ମାରକୀ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଫରଓ୍ଵାର୍ଡ ପୋଷ୍ଟ ଯାଇ ସେନା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

 

ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟଠାରୁ । ଗତ ନଭେମ୍ବର ୩୦ରେ ଏଠାରେ ଏକ ବରଫ ଝଡ଼ର ସମ୍ମୁଖୀନ ହୋଇ ୨ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିମାସ ୧୮ ତାରିଖରେ ମଧ୍ୟ ସେନାର ଏକ ଦଳ ବରଫଝଡ଼ର ସମ୍ମୁଖୀନ ହୋଇଥିଲା । ଏହି ଘଟଣାରେ ୪ ଯବାନ ନିହତ ହୋଇଥିଲେ । ସେହିପରି ଗତ ୨୦୧୬ ଫେବ୍ରୁଆରୀ ୩ରେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇ ୧୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର