ନାଗରିକତା ବିଲ୍‌ ବିରୁଦ୍ଧରେ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ, ତ୍ରିପୁରା,ଆସାମରେ ସେନା ମୁତୟନ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅସନ୍ତୋଷ ବଢିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହି ବିଲକୁ ବିରୋଧ କରି ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଉଛି । ତ୍ରିପୁରା ଓ ଆସାମର କେତେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରୁ ସେନା ମୁତୟନ କରାଯାଇଛି । ସେନାର ଜଣେ ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ତ୍ରିପୁରାର ମନୁ ଓ କାଞ୍ଚନପୁର ଇଲାକାରେ ଦୁଇ କଲମ ଯବାନ ମୁତୟନ କରାଯାଇଛି । ଗୋଟିଏ କଲମରେ ସାଧାରଣତଃ ୭୦ ଜଣ ଯବାନ ଥାଆନ୍ତି ଓ ତାହା ଦୁଇଜଣ ଅଫିସରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ଆଇନରେ ପରିଣତ ହେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଥଇଥାନ କରାଯିବ । ଏହା ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ ବୋଲି ଉତ୍ତର-ପୂର୍ବାଞ୍ଚଳ ଲୋକମାନେ ମନେକରୁଛନ୍ତି ।
ଏବେ ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହା ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର