ସାଧାରଣତନ୍ତ୍ର ଦିବସ ଉତ୍ସବରୁ ଫେରିବା ବେଳେ ଲେହ୍‌କୁ ପିଆଜ ନେଇ ଯିବାକୁ ‘ଆର୍ମି ହିରୋ’ ସେରିଙ୍ଗ୍‌ ମୁଟୁପ୍‌ଙ୍କ ଯୋଜନା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇସାରିବା ପରେ ‘ଆର୍ମି ହିରୋ’ ସେରିଙ୍ଗ୍‌ ମୁଟୁପ୍‌ ପିଆଜ ନେଇ ଲେହ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ଲେହ୍‌ ବଜାରରେ ଏବେ ପିଆଜ ସଙ୍କଟ ଦେଖାଦେଇଥିବାରୁ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରୟ ହେଉଛି। ତେଣୁ ଦିଲ୍ଲୀରୁ ପିଆଜ ଖରଦି କରି ନେବା ଶସ୍ତା ଓ ସୁବିଧା ହେବ ବୋଲି ଅବସରପ୍ରାପ୍ତ ନାଏବ ସୁବେଦାର ମୁଟୁପ୍‌ କହିଛନ୍ତି।

ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗ ଦେଉଥିବା ୬ଜଣ ଅଶୋକଚକ୍ର ପ୍ରାପ୍ତ ସେନା କର୍ମଚାରୀଙ୍କ ମଧ୍ୟରୁ ମୁଟୁପ୍‌ ଅନ୍ୟତମ। ୧୯୮୫ ମସିହାରେ ତାଙ୍କୁ ଅଶୋକଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ମୁଟୁପ୍‌ଙ୍କର ଦୁଇ ପୁଅ ଏବଂ ତିନି ନାତି ମଧ୍ୟ ସେନାବାହିନୀରେ ଚାକିରି କରନ୍ତି।

Image Source: Thank you Indian Army

ସାଧାରଣତନ୍ତ୍ର ଦିବସ ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମ ବାହାରେ ମୁଟୁପ୍‌ କହିଛନ୍ତି: ଦିଲ୍ଲୀରେ ପିଆଜ କିଲୋ ୬୦ ଟଙ୍କା। ଲେହ୍‌ରେ ପିଆଜ କିଲୋ ୨୦୦ ଟଙ୍କାରୁ ଅଧିକ। ଜାନୁଆରି ୩୧ ତାରିଖ ଦିନ ବିମାନରେ ଯିବାବେଳେ ୭/୮ କିଲୋ ପିଆଜ ନେଇ ଯିବାକୁ ଯୋଜନା କରୁଛି। ଅଧିକ ନିଅନ୍ତି ଯେ, କିନ୍ତୁ ବିମାନ ଯାତ୍ରାରେ ଓଜନ ସଂକ୍ରାନ୍ତ କଟକଣା ରହିଛି।

୭୫ ବର୍ଷିୟ ମୁଟୁପ୍‌ଙ୍କ ଆଶା, ପିଆଜ ଯୋଗାଣ ଠିକ୍‌ ହେଲେ ଯାଇ ଦର ଖସିବ। ସେ କହନ୍ତି, ଏଥିରେ ସରକାର କ’ଣ କରି ପାରିବେ।
ଲେହ୍‌ର ଅନ୍ୟତମ କୃଷି ଉନ୍ନୟନ ଅଧିକାରୀ ସେରିଙ୍ଗ୍‌ ଦୋର୍ଜୟ କହନ୍ତି, ଲେହ୍‌ରେ ପିଆଜ ପ୍ରାୟ ମିଳୁନାହିଁ। କିଛି ଦିନ ତଳେ କିଲୋ ପ୍ରତି ୨୨୦ ଟଙ୍କା ଦରରେ ବିକ୍ରୟ ହେଉଥିଲା।

ସମ୍ବନ୍ଧିତ ଖବର