ଜମ୍ମୁ ଓ କଶ୍ମୀରର ସ୍ଥାନୀୟ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖନାହିଁ : ଯବାନଙ୍କୁ ସେନାର ପରାମର୍ଶ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ସ୍ଥାନୀୟ ଯୁବତୀ ଓ ମହିଳାମାନଙ୍କ ସହିତ ପ୍ରେମ ସମ୍ପର୍କ ନ ରଖିବାକୁ ସେନା ପକ୍ଷରୁ ସେନା ଯବାନମାନଙ୍କୁ ସତର୍କ କରି ଦିଆଯାଇଛି। କେବଳ ସେତିକି ନୁହେଁ, ନିରାପତ୍ତା ପାଇଁ ସ୍ଥିର କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସଓପି)କୁ ଯବାନମାନେ କଡ଼ାକଡ଼ି ପାଳନ କରିବାକୁ ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୪୪ ରାଷ୍ଟ୍ରୀୟ ରାଇଫଲର ରାଇଫଲମ୍ୟାନ ଆଉରଙ୍ଗଜେବଙ୍କୁ ଗତ ୧୪ ତାରିଖ ଦିନ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିବା ପରେ ସେନା ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।


ସୂଚନାଯୋଗ୍ୟ ଯେ ଗତ ଆଉରଙ୍ଗଜେବ ଇଦ୍‌ ଉତ୍ସବ ପାଇଁ ଛୁଟି ନେଇ ଘରକୁ ଯାଉଥିଲେ। ତେବେ ନିୟମ ଅନୁଯୟୀ, ଯବାନମାନେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅତିକ୍ରମ କଲାବେଳେ ବୁଲେଟ୍‌ ପ୍ରୁଫ୍‌ କାର ବ୍ୟବହାର କରିବା କଥା। ମାତ୍ର ଆଉରଙ୍ଗଜେବ ଏକ ଘରୋଇ କାର ଭଡ଼ା ନେଇ ଯାଉଥିବା ବେଳେ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିଲେ। ତେବେ ଆଉରଙ୍ଗଜେବଙ୍କ ଅପହରଣ ଓ ହତ୍ୟା ପରେ ଆଉ ଏକ କଥା ପଦାକୁ ଆସିଛି। ଆଉରଙ୍ଗଜେବ ଜଣେ ସ୍ଥାନୀୟ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ। ତେଣେୁ ସେ ଘରକୁ ଯିବା ପୂର୍ବରୁ ଯୁବତୀଙ୍କୁ ଭେଟିବା ପାଇଁ ଏହି ପ୍ରାଇଭେଟ୍‌ କାରଟିକୁ ଭଡ଼ାରେ ନେଇଥିଲେ। ଆତଙ୍କବାଦୀମାନେ ଏ ସମ୍ପର୍କରେ ଜାଣିବା ପରେ ଯୁବତୀଙ୍କୁ ଟ୍ରାପ୍‌ କରି ଧମକଚମକ ଦେଇ ଆଉରଙ୍ଗଜେବଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ନେଇଥିଲେ। ଫଳରେ ତାଙ୍କୁ ବାଟରୁ ଅପହରଣ କରି ହତ୍ୟା କରିବା ଆତଙ୍କବାଦୀମାନେ ସକ୍ଷମ ହୋଇଥିିଲେ। ଏହି ଘଟଣାପରେ ସେନା ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟ କରୁଥିବା ସେନାର ସମସ୍ତ ୧୫ ୟୁନିଟ୍‌ ବା କର୍ପସର ଯବାନମାନେ ସ୍ଥାନୀୟ ମହିଳାଙ୍କ ସହିତ ସମ୍ପର୍କ ନ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର