ପାକିସ୍ତାନର ଆଇଏସ୍‌ଆଇ ଲାଗି ଗୁପ୍ତଚର କାମ କରୁଥିବା ସେନା ଯବାନ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ଆଇଏସ୍‌ଆଇ କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପୃକ୍ତ ବୋଲି ଜଣାପଡ଼ିବା ପରେ ଗୁପ୍ତଚରଗିରି ଅଭିଯୋଗରେ ରାଜସ୍ଥାନ ପୁଲିସ ସେନାର ଜଣେ ଯବାନଙ୍କୁ ଗିରଫ କରିଛି। ଅଭିଯୁକତ ଯବାନ ରାଜସ୍ଥାନର ଜୈସାଲ୍‌ମର୍‌ରେ ଗିରଫ ହୋଇଛନ୍ତି।

ଧରାଯିବା ପରେ ଯବାନଙ୍କୁ ଗୁଇନ୍ଦା ଏଜେନ୍‌ସିମାନେ ୪ ମାସରୁ ଊର୍ଦ୍ଧ୍ୱକାଳ ଧରି ପଚରାଉଚୁରା କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଆଇଏସ୍‌ଆଇ ସହ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି।

ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ସମ୍ବିତ ଘୋଷ କହିଛନ୍ତି ଯେ ଘଟନା ସଂକ୍ରାନ୍ତରେ ବେସାମରିକ କର୍ତ୍ତୃପକ୍ଷଙ୍କୁ ଭାରତୀୟ ସେନା ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି।

ସେ କହିଛନ୍ତି: ରାଜସ୍ତାନ ପୁଲିସ ଦ୍ୱାରା ଗିରଫ ହୋଇଥିବା ସେନା ଯବାନଙ୍କ ବିଷୟରେ ତଦନ୍ତ ଲାଗି ସେନା ବେସାମରିକ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।

ସୋମବୀର ନାମକ ସେ ଯବାନଜଣକ ଏବଂ ନିଜକୁ ଜମ୍ମୁର ଜଣେ ଯୁବା ଛାତ୍ରୀ କହୁଥିବା ପାକିସ୍ତାନୀ ଏଜେଣ୍ଟ୍‌ଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ହାଲୋ ହାୟରୁ ସବୁ କଥା ଆରମ୍ଭ ହୋଇଥିଲା। ତାଙ୍କର କାର୍ଯ୍ୟକଳାପ କ୍ରମଶଃ ସନ୍ଦେହଜନକ ହେବା କଥା ଗୁଇନ୍ଦା ବିଭାଗ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେ କେବଳ ଗୁପ୍ତଚରଗିରି କରୁ ନ ଥିଲେ, ସେନା ସଂକ୍ରାନ୍ତ ସୂଚନା ପଠାଇ ସେ ବାବଦରେ ଅର୍ଥ ମଧ୍ୟ ପାଉଥିଲେ।

ସମ୍ବନ୍ଧିତ ଖବର