କାଶ୍ମୀରରେ ସେନା ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ, ସେନା ପକ୍ଷରୁ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଆତଙ୍କବାଦୀମାନେ ତାହାର ଭରପୁର ଫାଇଦା ନେଉଛନ୍ତି । ଆଜି ଭାରତୀୟ ସେନାର ଜଣେ ଜବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ରାଇଫଲମ୍ୟାନ କାଶ୍ମୀରର ପୁରୁଣା ମୋଗଲ ରୋଡ୍‌ ଅଞ୍ଚଳରେ ନିଜ ବନ୍ଧୁଙ୍କ ସହ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି । କାଶ୍ମୀରର ପୁଞ୍ଛ ଅଂଚଳର ଏହି ଜବାନ ଜଣକ ଗତ କିଛି ଦିନ ହେଲା ଛୁଟିରେ ଥିଲେ । ତାଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । କିଛିଦିନ ତଳେ ସେନାପକ୍ଷରୁ କରାଯାଇଥିବା ଏକ ଅପରେସନରେ କୁଖ୍ୟାତ ଆତଙ୍କବାଦୀ ସମୀର ଟାଇଗରକୁ ମାରିଦିଆଯାଇଥିଲା । ଏହି ଅପରେସନରେ ଉକ୍ତ ସେନା ଜବାନ ସାମିଲ ଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଏହି କାଣ୍ଡ ଘଟାଇଥିବା ସଂଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପବିତ୍ର ରମଜାନ ମାସ ଚାଲିଥିବାରୁ ସରକାର ଗତ ମେ ୧୬ ତାରିଖରୁ କାଶ୍ମୀରରେ ଅସ୍ତ୍ରବିରତି ଲାଗୁ କରିଛନ୍ତି । ଏହି ସମୟରେ ସେନା ନିଜ ଆଡୁ କୌଣସି ଅପରେସନ କରୁନାହିଁ । ଆତଙ୍କବାଦୀମାନଙ୍କୁ ସୁଧାରିବାକୁ ଏକ ସୁଯୋଗ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଅନୁରୋଧରେ ଏହି ଅସ୍ତ୍ରବିରତି ଲାଗୁ କରିଛନ୍ତି । ଏହା ସତ୍ତ୍ୱେ କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଉତ୍ପାଦ କମିନାହିଁ ।

ସମ୍ବନ୍ଧିତ ଖବର