ଅଲ୍ ଆଉଟ୍ ଅପରେସନ୍ କାଳରେ ସହିଦ୍ ହୋଇଗଲେ ସର୍ଜିକାଲ ଷ୍ଟ୍ରାଇକ୍ର ସେନାନୀ ଲାନ୍ସ ନାଏକ ସନ୍ଦୀପ୍ ସିଂହ; ସେନାମୁଖ୍ୟ କହିଲେ ବୃଥା ଯିବ ନାହିଁ ବଳିଦାନ
ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନ ଲାନ୍ସ ନାଏକ ସନ୍ଦୀପ୍ ସିଂହ, ପାକିସ୍ତାନୀ ଆତଙ୍କବାଦୀମାନଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏକ ଅପରେସନ୍ ଅଲ୍ ଆଉଟ୍ରେ ଅଂଶଗ୍ରହଣ କରିଥିବା କାଳରେ ଗତ ସୋମବାର ଦିନ ସହିଦ୍ ହୋଇ ଯାଇଛନ୍ତି। ଜମ୍ମୁ- କଶ୍ମୀରର ଶ୍ରୀନଗର କୁପ୍ଓ୍ଵାଡ଼ା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ପାକ୍ ଅଧିକୃତ କଶ୍ମୀର (ପିଓକେ)ରୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କବାଦୀମାନଙ୍କ ବିରୋଧରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଅପରେସନ୍ରେ ଅଂଶ ଗ୍ରହଣ କରିଥିଲେ ଲାନ୍ସ ନାଏକ ସନ୍ଦୀପ୍ ସିଂହ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ଲାନ୍ସ ନାଏକ ସନ୍ଦୀପ୍ ସିଂହଙ୍କ ସହିଦ୍ ହେବା ଘଟଣାରେ ସ୍ତବ୍ଧ ହୋଇ ପଡ଼ିଛି ସମଗ୍ର ସେନା ବାହିନୀ। କାରଣ, ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ଜମ୍ମୁ- କଶ୍ମୀରର ଉରିରେ ଥିବା ଭାରତୀୟ ସେନାର ବେସ୍ କ୍ୟାମ୍ପ ଭିତରେ ପଶି ଆତଙ୍କବାଦୀମାନେ ୧୮ ଜଣ ଯବାନଙ୍କୁ ସହିଦ୍ କରିବା ପରେ ଆତଙ୍କବାଦୀମାନଙ୍କ ବିରୋଧରେ ୨୦୧୬ ସେପ୍ଟେମ୍ବର ୨୯ରେ ଭାରତୀୟ ସେନା ପକ୍ଷରୁ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ କରା ଯାଇଥିଲା, ସେଥିରେ ସାମିଲ ରହିବା ସହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଲାନ୍ସ ନାଏକ ସନ୍ଦୀପ୍ ସିଂହ। ସର୍ଜିକାଲ ଷ୍ଟ୍ରାଇକ୍ରେ ଅଂଶଗ୍ରହଣ କରି ଲାନ୍ସ ନାଏକ ସନ୍ଦୀପ୍ ସିଂହ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଆତ୍ମଗୋପନ କରିଥିବା ଏକାଧିକ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ ରକେଟ ଲଞ୍ଚପ୍ୟାଡ୍ ଓ ଶିବିରକୁ ମଧ୍ୟ ସଫଳତା ପୂର୍ବକ ଧ୍ୱଂସ କରିଥିଲେ ବୋଲି କହିଛନ୍ତି, ସେ ସମୟରେ ଡିଜିଏମ୍ଓ ଥିବା ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ।
ସେହିପରି ଗତ ରବିବାର ଠାରୁ ପାକ୍ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ୍ ଅଲ୍ ଆଉଟ୍ରେ ଅଂଶଗ୍ରହଣ କରି ଲାନ୍ସ ନାଏକ ସନ୍ଦୀପ୍ ସିଂହ ୫ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କର ଏକାଧିକ ବଙ୍କରକୁ ଧ୍ୱଂସ କରିବା ପରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍ ହୋଇ ଯାଇଥିଲେ।
General Bipin Rawat #COAS & all ranks salute supreme sacrifice of Lance Naik Sandeep Singh & offer condolences to the family of the Braveheart. #BraveSonsOfIndia @SpokespersonMoD @PIB_India @HQ_IDS_India pic.twitter.com/wDPyDqCNU5
— ADG PI – INDIAN ARMY (@adgpi) September 25, 2018
ତେବେ, ଲାନ୍ସ ନାଏକ ସନ୍ଦୀପ୍ ସିଂହଙ୍କ ସହିଦ୍ ହେବା ଘଟଣା ସମଗ୍ର ସେନା ବାହିନୀକୁ ସ୍ତବ୍ଧ କରି ଦେଇଥିବା ବେଳେ ସେନା ବାହିନୀର ର୍ୟାଙ୍କ୍ ନିର୍ବିଶେଷରେ ବରିଷ୍ଠ ଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ତାଙ୍କୁ ଭାବପୂର୍ଣ୍ଣ ଶେଷ ସାଲ୍ୟୁଟ୍ ଜଣାଇଛନ୍ତି। ଅନ୍ୟପକ୍ଷରେ ସେନାମୁଖ୍ୟ ବିପିନ୍ ରାଓ୍ଵତ୍ କହିଛନ୍ତି ଯେ ଲାନ୍ସ ନାଏକ ସନ୍ଦୀପ୍ ସିଂହଙ୍କ ବଳିଦାନ ବୃଥା ଯିବ ନାହିଁ। ସହିଦ୍ ଲାନ୍ସ ନାଏକ ସନ୍ଦୀପ୍ ସିଂହଙ୍କର ବିଧବା ପତ୍ନୀଙ୍କ ସମେତ ୫ ବର୍ଷ ବୟସ୍କ ଏକ ପୁତ୍ର ସନ୍ତାନ ଅଛି।