ଜମ୍ମୁ-କଶ୍ମୀରରେ ପଥରମାଡ଼ ବିରୋଧରେ ମାନବାଧିକାର ଆୟୋଗର ସାହାଯ୍ୟ ଲୋଡିଲେ ଯବାନଙ୍କ ପିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସେନା ଯବାନଙ୍କ ବିରୋଧରେ ଗୁଳିଚାଳନା ନେଇ ଯେଉଁ ମାମଲା ରୁଜୁ ହୋଇଛି ତାହାର ବିରୋଧ କରି ଯବାନଙ୍କ ପିଲାମାନେ ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ର ଦ୍ୱାରସ୍ଥ ହୋଇଛନ୍ତି। ଯବାନମାନେ ଆତ୍ମରକ୍ଷା ହେତୁ ଗୁଳିଚାଳନା କରିଥିବାରୁ ଏହାର ବିଚାର କରାଯାଉ ବୋଲି ସେମାନେ ନିବେଦନ କରିଛନ୍ତି।

ସେନାର ୩ ଜଣ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀଙ୍କର ୩ ପିଲା ଏକ ଜାଚିକା ଦାୟର କରି ଲେଖିଛନ୍ତି, ‘ଜମ୍ମୁ-କଶ୍ମୀରରେ ଯଦି ବିବାଦ ରହିଛି ସେଠାରେ ମାନବଧିକାର ଆୟୋଗ ମଧ୍ୟ ରହିିଛି। ବିବାଦକୁ ଆଇନ୍‌ ସହାୟତାରେ ତୁଟାଯାଇ ପାରିବ। ଏହାର ସମାଧାନ ପାଇଁ ଏନ୍‌ଏଚ୍‌ଆର୍‌ସ ହସ୍ତକ୍ଷେପ କରନ୍ତୁ। ପ୍ରଶାସନକୁ ସୁରକ୍ଷା ଦେବାକୁ ଯାଇ ଯେଉଁ ଯବାନ ନିଜକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ସେମାନଙ୍କ ସୁରକ୍ଷା ନିମସ୍ତେ ମାନବଧିକାର କାହିଁକି କୌଣସି ଦାୟିତ୍ୱ କିମ୍ବା ସହାନଭୂତି ନାହିଁ?ଏହି ମହାନ ଦେଶର ଯୁବକର୍ମୀ, ନାଗରିକ ତଥା ଯବାନଙ୍କ ପିଲା ହିସାବରେ ଆମେ ସେମାନଙ୍କ ପାଇଁ ଚିନ୍ତିତ। ଯବାନଙ୍କ ସମସ୍ୟାକୁ ଅଣଦେଖା କରାନଯାଉ।’ ପଥରମାଡ଼ରୁ ନିଜକୁ ବଞ୍ଚାଇବାକୁ ଯାଇ ଆତ୍ମରକ୍ଷା କରିବାକୁ ଗୁଳିଚାଳନା କରିଥିବାରୁ ସୈନିକଙ୍କ ବିରୋଧରେ ଯଦି ଏଫ୍‌ଆଇଆର୍‌ ଦର୍ଜ ହୋଇଛି ତେବେ ଯେଉଁମାନେ ପଥରମାଡ଼ କରିଛନ୍ତି ସେମାନଙ୍କ ବିରୋଧରେ କାହିଁକି ଏଯାବତ୍‌ ଏଫ୍‌ଆଇଆର୍‌ ଦର୍ଜ କରାଯାଇ ନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ସେମାନେ ଆହୁରି ବି କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକରେ ସଶସ୍ତ୍ର ବଳ ଉପରେ ପଥରମାଡ଼ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଆମେରିକାର ଉଦାହରଣ ଦେଇ କହିଛନ୍ତି କି ଯଦି ସେଠାରେ କେହି ପଥରମାଡ଼ କରିଥାନ୍ତି ସେମାନଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଦିଆଯାଇଥାଏ। ଏହାବ୍ୟତୀତ ଇସ୍ରାଏଲ୍‌ରେ ୨୦ ବର୍ଷ, ନ୍ୟୁଜ୍‌ଲାଣ୍ଡ୍‌ରେ ୧୪ ବର୍ଷ, ଅଷ୍ଟ୍ରେଲିଆରେ ୫ ବର୍ଷ ଏବଂ ଇଂଲଣ୍ଡରେ ୩-୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର