୫୧ ବର୍ଷ ପରେ ଠାବ ହେଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ; ମିଳିଲା ନାହିଁ ଦୁଇ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ୫୧ ବର୍ଷ ପରେ ମିଳିଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ । ଗତ ୧୯୬୮ ଫେବ୍ରୁଆରି ୭ ତାରିଖରେ ବାୟୁସେନାର ଏଏନ-୧୨ ବିଏଲ୍-୫୩୪ ବିମାନ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ଗତ ଜୁଲାଇ ୨୬ ତାରିଖରୁ ସେନାର ଡୋଗରା ସ୍କାଉଟ ପକ୍ଷରୁ କରାଯାଇଥିବା ଅପରେସନ ସମୟରେ ଏହାର ଭଗ୍ନାବଶେଷ ଢ଼ାକା ଗ୍ଲାସିୟରରୁ  ମିଳିଥିବା ଜଣାପଡ଼ିଛି। ଦୀର୍ଘଦିନର ଅପରେସନ ପରେ ଏହି ଭଗ୍ନାବଶେଷକୁ ଠାବ କରାଯାଇଛି। ମିଳିଥିବା ଫଟୋ ଅନୁସାରେ ଅଗଷ୍ଟ ୬ରୁ ୮ ତାରିଖ ମଧ୍ୟରେ ଭଗ୍ନାବଶେଷକୁ ଉଦ୍ଧାର କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ୫୧ ବର୍ଷ ତଳେ ନିଖୋଜ ହୋଇଥିବା ବାୟୁସେନାର ଏହି ପରିବହନ ବିମାନରେ  ୨ ଜଣ ବାୟୁସେନା ଅଧିକାରୀ ଥିଲେ । ଫ୍ଲାଇଟ୍ ଲ୍ୟୁଟନାଣ୍ଟ ହରକେଓ୍ୱାଲ୍ ସିଂ ଓ ସ୍କ୍ବାଡର୍ନ ଲିଡର ପ୍ରାଣନାଥ ମାଲହୋତ୍ରା ଏହି ବିମାନ ସହ  ନିଖୋଜ ହୋଇ ଯାଇଥିଲେ। କିନ୍ତୁ ସେତେବେଳେ   ବିମାନର ଭଗ୍ନାବଶେଷ କିମ୍ବା ଅଧିକାରୀଙ୍କ ମୃତଦେହର କୌଣସି ସନ୍ଧାନ ମିଳି ପାରିନଥିଲା । ତେବେ ସମୁଦ୍ର ପତ୍ତନ ଠାରୁ ୫ ହଜାର ୨୪୦ ମିଟର ଉଚ୍ଚରେ ଅବସ୍ଥିତ ଢ଼ାକା ଗ୍ଲାସିୟରରେ  ଏହି ନିଖୋଜ ବିମାନର ଭଗ୍ନାବଶେଷ ମିଳିଥିବା ସୂଚନା ମିଳିଛି ।

ବିମାନର ଭଗ୍ନାବଶେଷ ମଧ୍ୟରେ ରହିଛି ଏରୋ ଇଂଜିନ୍, ଇଲେକ୍ଟ୍ରିକ୍ ସର୍କିଟ୍, ପ୍ରପେଲର, ଫ୍ୟୁଏଲ ଟାଙ୍କ୍, ଏୟାର ବ୍ରେକ୍ ଭଳି ବିଭିନ୍ନ ଜିନିଷ । ସୂଚନା ମୁତାବକ, ୫୧ ବର୍ଷ ତଳେ ବାୟୁସେନାର ଏହି ବିମାନ ଚଣ୍ଡିଗଡ଼ରୁ ଫ୍ଲାଇଟ୍ ଲ୍ୟୁଟନାଣ୍ଟ ହରକେଓ୍ୱାଲ୍ ସିଂ ଓ ସ୍କ୍ବାଡର୍ନ ଲିଡର ପ୍ରାଣନାଥ ମାଲହୋତ୍ରାଙ୍କୁ ନେଇ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ହଠାତ୍ ହିମାଚଳପ୍ରଦେଶର ରୋହତାଙ୍ଗ୍ ନିକଟରେ ବିମାନଟିର ନିଖୋଜ ହୋଇଯାଇଥିଲା।

ସମ୍ବନ୍ଧିତ ଖବର