କାଶ୍ମୀରରେ ସେନାର ନୂଆ କୌଶଳ : ଗୁଳି ଚଳାଇବାକୁ ସିନା ମନା , ଆତଙ୍କବାଦୀଙ୍କୁ ବାନ୍ଧିବାକୁ ମନାନାହିଁ

ଜାମ୍ମୁ : ଚଳିତ ରମଜାନ ମାସରେ ଜାମ୍ମୁ ଓ କାଶ୍ମୀରରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେନା ପକ୍ଷରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଅନିଚ୍ଛା ସତ୍ତ୍ୱେ ସେନାର ବନ୍ଧୁକ ଶାନ୍ତ ଅଛି । ଏହା ସତ୍ତ୍ୱେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହୋଇନାହିଁ । ସୀମା ସେପଟୁ ବି ଗୁଳିବର୍ଷଣ ଜାରି ରହିଛି । ଆମ ସେନା ପକ୍ଷରୁ ସୀମା ସେପଟୁ ଗୁଳିମାଡ କରୁଥିବା ପାକିସ୍ତାନୀ ସେନା ଓ ରେଞ୍ଜର୍ସ ମାନଙ୍କ ଉପରେ କୌଣସି ଦୟାମାୟା ପ୍ରଦର୍ଶନ କରାଯାଉନାହିଁ । କିନ୍ତୁ କାଶ୍ମୀର ଉପତ୍ୟାକାରେ ହେଉଥିବା ଆତଙ୍କବାଦୀମାନଙ୍କ ମୁକାବିଲା ଲାଗି ସେନା ପକ୍ଷରୁ ଏକ ନୂଆ କୌଶଳ ଅବଲମ୍ବନ କରାଯାଉଛି । ଏହା ହେଉଛି ଆତଙ୍କବାଦୀକାର୍ଯ୍ୟରେ ଲିପ୍ତ ଥିବା ଯୁବକମାନଙ୍କୁ ଗୁଳି କରି ହତ୍ୟା କରିବା ନୁହେଁ, ସେମାନଙ୍କୁ ଜିଅନ୍ତା ଧରି ବୁଝାଇସୁଝାଇ ଆତଙ୍କବାଦରୁ ଦୂରେଇରଖିବା ଓ ମୁଖ୍ୟଧାରାକୁ ଫେରାଇଆଣିବା । ଗୁଳି କଲେ ସିନା ଅସ୍ତ୍ରବିରତି ଉଲ୍ଲଙ୍ଘନ ହେବ, କିନ୍ତୁ କୌଶଳକ୍ରମେ ସେମାନଙ୍କୁ ବାନ୍ଧିବା ଦ୍ୱାରା ସରକାରଙ୍କ ନିର୍ଦ୍ଦେଶ ବି ପାଳନ ହେବ, ଆତଙ୍କବାଦ ବି ନିୟନ୍ତ୍ରଣରେ ରହିବ । କିନ୍ତୁ ବିନା ଗୁଳି ଚଳାଇ ଏପରି କରିବା ବୋଧହୁଏ ଅତ୍ୟନ୍ତ କଷ୍ଟକର । କାରଣ ରମଜାନ ମାସ ହେଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଛାଡୁ ନାହାନ୍ତି । ଗୁଳିର ଜବାବ ଗୁଳିରେ ନଦେଇ ସେନାର ଏହି ଉଦ୍ୟମ କିପରି ସଫଳ ହେବ ତାହା ଆଗକୁ ଜଣାପଡିବ ।

ସମ୍ବନ୍ଧିତ ଖବର