ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଙ୍ଗ୍‌ ପାଇଁ ଓଟ ବ୍ୟବହାର କରିବ ସେନା

ଚଣ୍ଡିଗଡ଼: ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ ପାଇଁ ଭାରତୀୟ ସେନା ଉଭୟ ଦି’କୁଜିଆ ଓ ଏକ କୁଜିଆ ଓଟ ବ୍ୟବହାର କରିବା ପାଇଁ ଯୋଜନା କରୁଛି। ସିକିମ୍‌-ତିବ୍ଦତ-ଭୁଟାନ ତ୍ରିସନ୍ଧି ସ୍ଥଳ ଡୋକଲାମରେ ଭାରତ ଏବଂ ଚୀନ୍‌ ସେନା ତକାତକି ହୋଇ ରହିବା ଘଟଣାରେ ଭାରତୀୟ ସେନା ଉଦ୍‌ବିଗ୍ନ ହୋଇପଡ଼ିଛି।

ଏହି ଓଟମାନଙ୍କୁ ପାଟ୍ରୋଲ୍‌ ଏବଂ ଅସ୍ତ୍ରଶସ୍ତ୍ର ସହ ରଶଦ ଆଦି ଭାରୀ ଜିନିଷ ବୋହି ନେବା ପାଇଁ ତାଲିମ ଦିଆଯିବ। ଦି’କୁଜିଆ ଓଟ ୧୮୦-୨୨୦ କିଲୋ ଓଜନର ଜିନିଷ ବୋହି ନେଇ ପାରନ୍ତି। ତାଙ୍କ ତୁଳନାରେ ଭାରତୀୟ ସେନା ବ୍ୟବହାର କରି ଆସୁଥିବା ଖଚର ଏବଂ ତଟୁଘୋଟା ମାତ୍ର ୪୦ କିଲୋ ଓଜନର ଜିନିଷ ବହନ କରି ପାରନ୍ତି। ଖଚରମାନଙ୍କ ଠାରୁ ଦି’କୁଜିଆ ଓଟର ଗତି ବେଗ କ୍ଷିପ୍ରତର। ଦୁଇଘଣ୍ଟାରେ ସେ ଓଟମାନେ ୧୦ରୁ ୧୫ କିଲୋମିଟର ଯାଇ ପାରିବେ।

ଭାରତରେ କେବଳ ଲଦାଖର ନୁବ୍ରା ଉପତ୍ୟକାରେ ଦି’କୁଜିଆ ଓଟ ଦେଖା ଯାଆନ୍ତି। ସେନା ଏ ଭିତରେ ବିକାନେର୍‌ ଠାରେ ଥିବା ଜାତୀୟ ଓଟ ଗବେଷଣାଗାରରୁ ଲଦାଖ ପାଇଁ ୪ଟି ଏକ କୁଜିଆ ଓଟ ଆଣିଛି।


ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ, ତେବେ ୧୨୦୦୦ ଏବଂ ୧୫ ୫୦୦ ଫୁଟ୍‌ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଭାରତୀୟ ସେନା ସଂସ୍ଥାନରେ ଏକ କୁଜିଆ ଏବଂ ଦି’କୁଜିଆ ଓଟ ବ୍ୟବହାର କରାଯିବ।

ଲେହ ଠାରେ ଥିବା ଡିଆର୍‌ଡିଓର ଲାବୋରାଟେରି ‘ଡିଫେନ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ଆଲ୍‌ଟିଚ୍ୟୁଡ୍‌ ରିସର୍ଚର ଦି’କୁଜିଆ ଓଟଙ୍କର ଭାର ବୋହିବା ସାମର୍ଥ୍ୟ ଉପରେ ଗବେଷଣା ଆରମ୍ଭ ହୋଇ ଯାଇଛି। ପ୍ରତିକୂଳ ପାଗ ଏବଂ ନିରସା ଅଞ୍ଚଳରେ ସେମାନଙ୍କୁ ଭାର ବୋହି ନେବାକୁ କେମିତି ତାଲିମ ଦିଆଯିବ, ତାହା ଉପରେ ଏହି ଗବେଷଣା ଚାଲିଛି।

ଲଦାଖର ନୁବ୍ରା ଉପତ୍ୟକାରେ ୨୦୦ ସରିକି ଦି’କୁଜିଆ ଓଟ ଅଛନ୍ତି। ‘ଡିଆଇଏଚ୍‌ଆର୍‌’ର ନିର୍ଦେଶକ କହନ୍ତି: ପାଇଲଟ୍‌ ଷ୍ଟଡି ପାଇଁ ଏଠାକୁ ଫେବ୍ରୁଆରି ୨୦୧୭ରେ ଦି’କୁଜିଆ ଓଟଙ୍କୁ ଅଣାଯାଇଥିଲା। ସୀମାନ୍ତ ପାଟ୍ରୋଲିଙ୍ଗ୍‌ ପାଇଁ ସେମାନେ କେତେଦୂର ଉତ୍ତମ, ଭାର ବହନ କ୍ଷମତା, ତାଲିମ ଗ୍ରହଣ କରିବା ଆଗ୍ରହ ଆଦି ସମସ୍ତ କଥା ଉପରେ ଗବେଷଣା ଚାଲିଛି।

ସମ୍ବନ୍ଧିତ ଖବର