ଗର୍ବୀ ମୋଦି କଂଗ୍ରେସକୁ ଲୋପ କରିବାକୁ ଉଦ୍ୟମ କରୁଛନ୍ତି : ସୋନିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ୟୁପିଏ ସଭାପତି ସୋନିଆ ଗାନ୍ଧି । ଏଠାରେ ଅନୁଷ୍ଠିତ କଂଗ୍ରେସ ଜାତୀୟ ସାଧାରଣ ଅଧିବେଶନରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଗର୍ବୀ ମୋଦି କଂଗ୍ରେସକୁ ଲୋପ କରିଦେବାକୁ ସବୁପ୍ରକାର ଉଦ୍ୟମ କରୁଛନ୍ତି, କିନ୍ତୁ ଆମେ କେବେହେଲେ ମୁଣ୍ଡ ନୋଇଁବୁ ନାହିଁ । ସେ କହିଛନ୍ତି ଯେ ମୋଦି ସରକାର ୟୁପିଏ ଅମଳର ସାମାଜିକ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଜାଣିଶୁଣି ଦୂର୍ବଳ କରିଦେଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ଦେଶ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଥିଲା । ଆମ ସରକାରଙ୍କ ନୀତି ଓ ଯୋଜନା ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟସୀମାରେଖା ର ଉପରକୁ ଉଠାଇଥିଲା । କିନ୍ତୁ ଆଜି ମୋଦି ଏସବୁ ଯୋଜନାଗୁଡ଼ିକୁ ଦୁର୍ବଳ କରିବାରେ ଲାଗିଛନ୍ତି ।

ସେ କହିଛନ୍ତି ଯେ କଂଗ୍ରେସ ତରଫରୁ ମୋଦି ସରକାର କରୁଥିବା ବିଭିନ୍ନ ଦୁର୍ନୀତି ଉଜାଗର କରିବାକୁ ଉଦ୍ୟମ କରାଯାଉଛି । ଏସବୁ ଦୁର୍ନୀତି ଓ ଠକେଇକୁ ପ୍ରମାଣ ସହିତ ଉଜାଗର କରାଯିବ । ଯେଉଁ ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ଅସ୍ଥିରତା ଓ ଅନ୍ୟାୟ ବଢିଚାଲିଛି । କିନ୍ତୁ କଂଗ୍ରେସ ଏସବୁ ଅରାଜକତା ଓ ଅନ୍ୟାୟ ବିରୋଧରେ ଛିଡା ହେଉଛି । କଂଗ୍ରେସ ସମଭାବାପନ୍ନ ଦଳମାନଙ୍କ ସହ ହାତମିଳାଇ ପୁଣି ଥରେ ଲୋକଙ୍କ ଭରଷା ଜିତିବାକୁ ଉଦ୍ୟମ କରିବ ।

ଏକ କଷ୍ଟକର ସମୟରେ ରାହୁଲ ଦଳର ମଙ୍ଗ ସମ୍ଭାଳିଛନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିବ । ଏହା ଦ୍ୱାରା ଭାରତୀୟ ଗମତନ୍ତ୍ରର ବିଜୟ ହୋଇପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର