କ୍ରାଇମବ୍ରାଞ୍ଚ ଆଇଜି କହିଲେ, ଦୁଷ୍କର୍ମ ଭଳି ସାଂଘାତିକ ଅପରାଧ ଘଟାଇ ବି କାହିଁକି ଖସି ଯାଉଛି ଦୁଷ୍କର୍ମକାରୀ

 

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଦୁଷ୍କର୍ମ ଭଳି ସାଂଘାତିକ ଅପରାଧ ଘଟାଇ କିପରି ଅପରାଧୀ ଖସି ଯାଉଛନ୍ତି ସେନେଇ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭ ଲେଖିଛନ୍ତି । ସେ ଏହି ସ୍ତମ୍ଭରେ ଉପସ୍ଥାପନ କରିଛନ୍ତି କି, ଅନେକ ମାମଲାରେ ପୀଡ଼ିତାଙ୍କ ନିଜ ପରିବାର ଲୋକ ଅପରାଧୀ ସହ ଡିଲ୍‌ କରିଥାନ୍ତି । ଚାପରେ ପଡ଼ି ଶେଷ ମୁହୂର୍ତରେ ପୀଡ଼ିତା ବୟାନ ବଦଳାଇ ଦେଇଥାନ୍ତି । ସାକ୍ଷୀ ମଧ୍ୟ ଅସହଯୋଗ କରିଥାନ୍ତି ।

ଦୋଷୀ ଖସିଯିବା ପରେ ତଦନ୍ତ ପ୍ରକ୍ରିୟା ଉପରେ ବିଶେଷ କରି ପ୍ରଶ୍ନ ଉଠିଥାଏ । ତେବେ ଏହାର ବାସ୍ତବତା ଅଲଗା ବୋଲି ଯୁକ୍ତି ବାଢ଼ିଛନ୍ତି ଅରୁଣ ବୋଥ୍ରା। ଫରେନସିକ୍‌ ପ୍ରମାଣ, ମେଡିକାଲ ରିପୋର୍ଟ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲେ ମଧ୍ୟ ପୀଡ଼ିତା ଓ ସାକ୍ଷୀ ଅସହଯୋଗ କଲେ ଭାରତରେ ଖସି ଯାଇଥାନ୍ତି ଦୋଷୀ । ହେଲେ ବିକଶିତ ରାଷ୍ଟ୍ରରେ ବୈଜ୍ଞାନିକ ପ୍ରମାଣକୁ ଗୁରୁତ୍ୱ ଦିଆଯାଇଥାଏ।

ସୂଚନାଯୋଗ୍ୟ, ଅଦାଲତରେ ମାତ୍ର ୧୮.୯ ପ୍ରତିଶତ ଦୁଷ୍କର୍ମ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକରେ ଏହାର ହାର ଆହୁରି କମ । ଏହିସବୁ ରାଜ୍ୟରେ ମାତ୍ର ୧୦ ପ୍ରତିଶତ ଦୁଷ୍କର୍ମକାରୀ କୋର୍ଟରେ ଦଣ୍ଡିତ ହୋଇଥାନ୍ତି। ଅର୍ଥାତ ୧୦ ଜଣ ଅପରାଧୀଙ୍କ ମଧ୍ୟରୁ ୯ ଜଣ ଅପରାଧୀ ଖସି ଯାଇଥାନ୍ତି । ସୁପ୍ରିମକୋର୍ଟ ଏକ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ପୀଡ଼ିତା ତାଙ୍କ ବୟାନ ବଦଳାଇବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଶେଷ ମୁହୁର୍ତରେ ପୀଡ଼ିତା ବୟାନ ବଦଳାଇବା ଓ ପୂର୍ବ ଷ୍ଟେଟମେଂଟରୁ ସାକ୍ଷୀ ଓହରି ଯିବା ପରେ ଖସି ଯାଇଥାନ୍ତି ଅପରାଧୀ।

ସମ୍ବନ୍ଧିତ ଖବର