ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ୫୦% ସୀମା ଜାତିଭିତ୍ତିକ ସଂରକ୍ଷଣ ଲାଗି ଉଦ୍ଦିଷ୍ଟ; ଆର୍ଥିକ ସ୍ଥିତି ଆଧାରିତ ସଂରକ୍ଷଣ ଲାଗି ନୁହେଁ : ଜେଟଲି
ନୂଆଦିଲ୍ଲୀ: ଉଚ୍ଚ ଜାତିର ଗରିବଙ୍କ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଗତକାଲି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ଏହାକୁ ବିଲ୍ ଅକାରରେ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। ଆର୍ଥିକ ଅନଗ୍ରସର ଉଚ୍ଚ ଜାତି ଲାଗି ସଂରକ୍ଷଣ ପ୍ରସ୍ତାବକୁ କଂଗ୍ରେସ ଓ ଅନ୍ୟ କେତେକ ଦଳ ସମାଲୋଚନା କରିବା ସହ ବିରୋଧ କରିଛନ୍ତି। ତେବେ ଅନେକ ସୁପ୍ରିମ କୋର୍ଟଙ୍କ ରାୟ ( ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ହେବ) ଏ ଦିଗରେ ପ୍ରତିବନ୍ଧକ ବୋଲି କହୁଥିବା ବେଳେ ଏହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ୫୦ ପ୍ରତିଶତ ସଂରକ୍ଷଣ ସୀମା ଜାତି-ଭିତ୍ତିକ ସଂରକ୍ଷଣ ଲାଗି ଉଦ୍ଦିଷ୍ଟ। ସରକାରଙ୍କ ପ୍ରସ୍ତାବିତ ସଂରକ୍ଷଣ ଜାତି ନୁହେଁ, ଆର୍ଥିକ ମାନଦଣ୍ଡ ଆଧାରିତ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ସଂରକ୍ଷଣ ବିଲ୍ ନେଇ ବିରୋଧୀଙ୍କ ବକ୍ତବ୍ୟର ଜବାବ ରଖିଛନ୍ତି ଜେଟ୍ଲି। ସେ କହିଛନ୍ତି, ୨୦୧୪ ମସିହାରେ କଂଗ୍ରେସ ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଲେଖାଥିଲା କି ଦଳ ଦେଶରୁ ଦାରିଦ୍ର୍ୟ ହଟାଇବା ଲାଗି ସଂକଳ୍ପବଦ୍ଧ । ଆଜିର ସଂରକ୍ଷଣ ବିଲ୍ ଗରିବମାନଙ୍କ ଉନ୍ନତି ସକାଶେ ଉଦ୍ଦିଷ୍ଟ। ତେଣୁ ଏହି ବିଲ୍କୁ ସମର୍ଥନ କିମ୍ବା ବିରୋଧ କରି ପାର୍ଟି ଏହା ସ୍ପଷ୍ଟ କରୁ କି ଏହା ନିଜର ଇସ୍ତହାର ପାଳନ କରିବାକୁ ଚାହୁଁଛି ବା ଏହାକୁ ଲେଖାରେ ସୀମିତ ରଖିବାକୁ ଇଚ୍ଛା କରୁଛି।
ସେହିପରି ସଂରକ୍ଷଣ ବଲ୍କୁ ବିରୋଧ କରୁଥିବା କମ୍ୟୁନିଷ୍ଟ ଦଳକୁ ସମଲୋଚନା କରିଛନ୍ତି ଜେଟ୍ଲି। ଯଦି କମ୍ୟୁନିଷ୍ଟମାନେ ଗରିବମାନଙ୍କର ବିକାଶ ଲାଗି ଉଦ୍ଦିଷ୍ଟ ଏହି ବିଲ୍କୁ ବିରୋଧ କରନ୍ତି ତେବେ, ଏହା ପୃଥିବୀର ପ୍ରଥମ ଉଦାହରଣ ହେବ। କାରଣ କମ୍ୟୁନିଷ୍ଟମାନେ ଗରିବଙ୍କ ବିକାଶ ଲାଗି ସଂକଳ୍ପବଦ୍ଧ।
ସଂରକ୍ଷଣ ବିଲ୍ ସଂପର୍କରେ ଲୋକସଭାରେ ଆଲୋଚନା କରି ଜେଟଲି ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ କି ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ୫୦ ପ୍ରତିଶତ ସଂରକ୍ଷଣ ସୀମା ଜାତି-ଆଧାରିତ ସଂରକ୍ଷଣ ଲାଗି ଉଦ୍ଦିଷ୍ଟ। ଏହି ସଂରକ୍ଷଣ ବିଲ୍ ଆର୍ଥିକ ମାନଦଣ୍ଡ ଆଧାରିତ।