ଜଣେ ସଂସ୍କାରଧର୍ମୀ ଅର୍ଥମନ୍ତ୍ରୀ ଏବଂ ଧୂରୀଣ ରାଜନୀତିଜ୍ଞ ଅରୁଣ ଜେଟ୍ଲି ଭାରତର ରାଜନୀତି ଓ ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିଲେ। ବିଭିନ୍ନ କଠିନ ପର୍ଯ୍ୟାୟରେ ଅନେକ କଠୋର ନିଷ୍ପତ୍ତିକୁ ସୁଚିନ୍ତିତ ରଣନୀତି ସହକାରେ କାର୍ଯ୍ୟକାରୀ କରି ସେ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ସଙ୍କଟମୋଚକ ସାଜିଥିଲେ। ଭାରତୀୟ ରାଜନୀତିରେ ଦୀର୍ଘ ୪ ଦଶନ୍ଧି ଧରି ସକ୍ରିୟ ଥିବା ଜେଟ୍ଲି ଥିଲେ ଜ୍ଞାନର ଭଣ୍ଡାର। ଭାରତର ଅର୍ଥନୀତିକୁ ବିଶ୍ବସ୍ତରରେ ପ୍ରଭାବଶାଳୀ କରିବା ପାଇଁ ତାଙ୍କର ରଣନୀତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଭାରତର ବିକାଶ କାହାଣୀରେ ଜେଟଲିଙ୍କ ଭୂମିକା ଯେତିକି ମହତ୍ତ୍ବପୂର୍ଣ୍ଣ, ଜଟିଳ ରାଜନୀତିକ ପରିସ୍ଥିତିରେ ମୁଖ୍ୟ ସୂତ୍ରଧର ସାଜି ସମସ୍ୟା ସମାଧାନ କରିବାରେ ତାଙ୍କର ବିଚକ୍ଷଣତା ସେତିକି ପ୍ରଶଂସନୀୟ। ଆର୍ଥିକ ସଂସ୍କାର କ୍ଷେତ୍ରରେ କଠୋର ନିଷ୍ପତ୍ତି ନେବାବେଳେ ସେ ଅତ୍ୟନ୍ତ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରୁଥିଲେ ଏବଂ ସମାଲୋଚନାକୁ ଭ୍ରୁକ୍ଷେପ ନକରି ଲକ୍ଷ୍ୟ ହାସଲ ପାଇଁ ଆଗକୁ ବଢ଼ୁଥିଲେ। ଦେଶ ଭିତରୁ ଏବଂ ବାହାରୁ କଳାଟଙ୍କା ଖୋଜି ବାହାର କରିବା, ପରୋକ୍ଷ ଟିକସ ସଂସ୍କାର କ୍ଷେତ୍ରରେ ଐତିହାସିକ ଜିଏସଟିକୁ କାର୍ଯ୍ୟକାରୀ କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜେଟଲିଙ୍କ ସଂକଳ୍ପ ତାଙ୍କୁ ଭିନ୍ନ ନେତାର ପରିଚୟ ଦେଇଥିଲା। ବିଜ୍ଞତା ଏବଂ ସୂକ୍ଷ୍ମ ରଣନୀତି ଯୋଗୁ ଗୋଟିଏ ପଟେ ଅମଲାତନ୍ତ୍ରର ପୂର୍ଣ୍ଣ ଭରସା ସେ ହାସଲ କରିପାରୁଥିଲେ ଏବଂ ଅନ୍ୟପଟେ ବିରୋଧୀଙ୍କ ସଫଳ ମୁକାବିଲା କରିବା ସହ ସମର୍ଥନ ମଧ୍ୟ ଯୋଗାଡ଼ କରି ପାରୁଥିଲେ…
Sambad is now on WhatsApp
Join and get latest news updates delivered to you via WhatsApp
ରାଜନୈତିକ ଜୀବନ
ଅରୁଣ ଜେଟଲି ଭାରତୀୟ ଜନତା ପାର୍ଟିର ସଙ୍କଟମୋଚକ ଭାବେ ପରିଚିତ। ମୋଦୀ ସରକାରଙ୍କ ପ୍ରଥମ ପାଳିରେ ସେ ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଜେଟଲି ତାଙ୍କ ରାଜନୈତିକ ଜୀବନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇଥିଲେ। ଅରୁଣ ଜେଟଲିଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବା ପରଠାରୁ ଆରମ୍ଭ ହୋଇଥିଲା । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ୧୯୯୧ରେ ସେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ହୋଇଥିଲେ। ୧୯୯୯ ସାଧାରଣ ନିର୍ବାଚନ ସମୟରେ ସେ ଦଳର ପ୍ରବକ୍ତା ରହିଥିଲେ। ୧୯୯୯ରେ ବାଜପେୟୀ ସରକାର କ୍ଷମତାକୁ ଆସିବା ପରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ।। ତାଙ୍କୁ ସେତେବେଳେ ଏକ ନୂତନ ମନ୍ତ୍ରାଳୟ (ବିନିବେଶ)ର ସ୍ବାଧୀନ ଦାୟିତ୍ବ ଦିଆଯାଇଥିଲା। ୨୦୦୦ ମସିହାରେ ସେ ଆଇନ ଏବଂ କମ୍ପାନି ବ୍ୟାପାର ମନ୍ତ୍ରାଳୟର ମଧ୍ୟ ଦାୟିତ୍ବ ନେଇଥିଲେ। ନଭେମ୍ବର ୨୦୦୦ରେ ସେ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହୋଇଥିଲେ। ୩ ଜୁନ୍ ୨୦୦୯ରେ ଜେଟଲିଙ୍କୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ନିର୍ବାଚିତ କରାଯାଇଥିଲା। ମେ ୨୬, ୨୦୧୪ରେ ସେ ମୋଦୀ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ତାଙ୍କ ହାତରେ ରହିଥିଲା। ସେ ଅର୍ଥମନ୍ତ୍ରୀ ଥିବା ସମୟରେ ହିଁ ଦେଶରେ ବିମୁଦ୍ରୀକରଣ କାର୍ଯ୍ୟକାରୀ ହୋଇଥିଲା।