ଅରୁଣାଚଳ ପ୍ରଦେଶ:ବିଧାୟକଙ୍କ ସମେତ ୧୧ ଜଣଙ୍କୁ ଗୁଳିକରି ହତ୍ୟା

କୋଲକାତା: ଅରୁଣାଚଳ ପ୍ରଦେଶର ତୀରପ ଜିଲ୍ଲାର ବଗପାଣି ଅଂଚଳରେ ମଙ୍ଗଳବାର ଉଗ୍ରବାଦୀମାନେ ଜଣେ ଶାସକ ଦଳ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ନେସ୍‌ନାଲ୍‌ ପିପୁଲ୍‌ସ ପାର୍ଟି (ଏନ୍‌ପିପି)ର ବିଧାୟକ ତୀରଙ୍ଗ ଆବହ ଏବଂ ତାଙ୍କ ପୁଅଙ୍କୁ ଗୁଳିକରି ହତ୍ୟା କରାଯାଇଛି। ତାଙ୍କ ପୁଅ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଏଥିରେ ଆବହଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡିଛି।
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ସେ ତାଙ୍କ ପରିବାର ସହ ଆସାମର ଦିବ୍ରୁଗଡ ଠାରୁ ଖୋଂସା ଯାଉଥିବା ବେଳେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିବା ଏସ୍‌ପିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ୪୨ ବର୍ଷୀୟ ଆବହ ଖୋଂସା ପଶ୍ଚିମ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ଏବଂ ଚଳିତ ନିର୍ବାଚନରେ ମଧ୍ୟ ଏନ୍‌ପିପି ପ୍ରାର୍ଥୀ ଭାବେ ଲଢିଥିଲେ। ନେସ୍‌ନାଲ୍‌ ସୋସିଆଲିଷ୍ଟ କାଉନ୍ସିଲ୍‌ ଅଫ୍‌ ନାଗାଲାଣ୍ଡ (ଏନ୍‌ଏସସିଏନ୍‌)ର ଉଗ୍ରବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ନିର୍ବାଚନରେ ପ୍ରଚାର କରିବାକୁ ନେଇ ଏନ୍‌ଏସସିଏନ୍‌ ଏହା ଆଗରୁ ଆବହଙ୍କୁ ଧମକ ଦେଇଥିଲା। ୬୦ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନ ବେଳେ ଅରୁଣାଚଳ ପ୍ରଦେଶରେ ବ୍ୟାପକ ହିଂସା ହୋଇଥିଲାI
ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ଼ ସାଙ୍ଗମା ଏହି ଘଟଣାର ନିନ୍ଦା କରିଛନ୍ତି। ସାଙ୍ଗମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଉଗ୍ରବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ହତ୍ୟାକାଣ୍ଡର ନିନ୍ଦା କରାଯାଇଛି। ଏହି ହତ୍ୟାକାଣ୍ଡରେ ସଂମ୍ପ୍ୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜ୍ଜୁ କହିଛନ୍ତି।

ସମ୍ବନ୍ଧିତ ଖବର