ଚୀନ୍‌ରୁ ମାଡ଼ି ଆସୁଛି ପାଣି, ପ୍ରତି ସେକେଣ୍ଡରେ ୯.୦୨ ମିଲିୟନ୍‌ ଲିଟର ! ଅରୁଣାଚଳରେ ହୋଇପାରେ  ବନ୍ୟା 

ଗୌହ୍ଵାଟି : ଚୀନରୁ ମାଡ଼ି ଆସୁଛି ପାଣି। ଭାରତରେ ସୃଷ୍ଟି ହୋଇପାରେ ପ୍ରବଳ ବନ୍ୟା।ସୀମାନ୍ତ ପ୍ରଦେଶ ଅରୁଣାଚଳରେ  ବନ୍ୟା ଆଶଙ୍କା ଦେଖା ଦେଇଛି। ଚୀନରେ ପ୍ରବାହିତ ସାଙ୍ଗପୋ ନଦୀରେ ପ୍ରବଳ ବନ୍ୟା ଜଳ ଆସିଛି। ଏ ନେଇ ଚୀନ ସରକାର ଦିଲ୍ଲୀକୁ ବି ସାବଧାନ କରାଇ ଦେଲେଣି।ସାଙ୍ଗପୋ ନଦୀ ଚୀନରୁ ବାହାରି ଭାରତରେ ବ୍ରହ୍ମପୁତ୍ରରେ ମିଶିଛି। ସାଙ୍ଗ୍‌ପୋ ନଦୀ ଅରୁଣାଚଳର  ଉପର ସିଆଙ୍ଗ୍‌ ଜିଲ୍ଲା ଦେଇ ଭାରତରେ ପ୍ରବେଶ କରିଛି। ଏଠାରେ ଏହା ସିଆଙ୍ଗ୍‌ ଭାବେ ନାମିତ ହୋଇଛି। ପରେ ସିଆଙ୍ଗ୍‌ ଲୋହିତ୍‌ ଓ ଦିବାଙ୍ଗ୍‌ ନଦୀରେ ବିଭକ୍ତ ହୋଇ ବ୍ରହ୍ମପୁତ୍ରରେ ମିଶିଛି।
ବୁଧବାର  ପୂର୍ବ-ସିଆଙ୍ଗ୍‌ ଜିଲ୍ଲାର  ଉପଜିଲ୍ଲାପାଳ ଏକ ସତର୍କ ସୂଚନା ଜାରି କରି ସିଆଙ୍ଗ୍‌ ନଦୀର ଦୁଇ କୂଳରେ ରହୁଥିବା ଲୋକଙ୍କୁ ସାବଧାନ ରହିବାକୁ କହିଛନ୍ତି। ନଦୀ ମଧ୍ୟକୁ ମାଛ ଧରା କିମ୍ବା ଗାଧୋଇବା ଲାଗି ଯିବାକୁ ନିଷେଧ କରିଛନ୍ତି।
ଚୀନ ସରକାର ଭାରତ ସରକାରଙ୍କୁ ଏ ନେଇ ବୁଧବାର ସୂଚନା ପ୍ରଦାନ କରିଛନ୍ତି। ବେଜିଂ  ପକ୍ଷରୁ କୁହାଯାଇଛି କି ପ୍ରବଳ ବର୍ଷା ଯୋଗୁଁ ସାଙ୍ଗ୍‌ପୋ ନଦୀ ଫୁଲି ଉଠିଛି। ଦେଶରେ ୯୦୨୦ କ୍ୟୁବେକ୍‌ ଜଳ ପ୍ରବେଶ କରିଛି। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣର ଜଳ ଆସିବା ପ୍ରଥମ ବୋଲି ଜଣାପଡ଼ିଛି। ପ୍ରତି ସେକେଣ୍ଡରେ ୯.୦୨ ମିଲିୟନ୍‌ ଲିଟର ଜଳ ପ୍ରବାହିତ ହେଉଛି।
ତେବେ  ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ତିବ୍ଦତରେ ବାରମ୍ବାର ଭୁସ୍କଳନ ଓ ଭୂମିକମ୍ପ ହୋଇଥିବାରୁ ଏହାର ପ୍ରଭାବରେ ନଦୀ ଫୁଲି ଉଠିଛି। ଏହା ଦ୍ୱାରା ଅରୁଣାଚଳରେ ବଡ଼ ବନ୍ୟା ଆସିପାରେ।
ସମ୍ବନ୍ଧିତ ଖବର