ଆଣ୍ଟାର୍କଟିକାର ବରଫାବୃତ ପର୍ବତକୁ ଚଢିବେ ଏହି ଦିବ୍ୟାଙ୍ଗ ଭାରତୀୟ ମହିଳା

ନୂଆଦିଲ୍ଲୀ : ବିଶ୍ୱର ସବୁ ପ୍ରମୁଖ ପର୍ବତାରୋହଣ କରିବା ପରେ ଭାରତର ଦିବ୍ୟାଙ୍ଗ ମହିଳା ଅରୁଣିମା ସିହ୍ନା ଏବେ ଆଣ୍ଟାର୍କଟିକାର ବରଫାବୃତ ମାଉଣ୍ଟ ଭିନସନ ଆରୋହଣ ପାଇଁ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କର ଗୋଟିଏ ଗୋଡ ନଥିବାବେଳେ ସେ ପ୍ଲାଷ୍ଟିକ ଗୋଡ ବ୍ୟବହାର କରନ୍ତି । ସେ ଆସନ୍ତା କାଲି ଚିଲି ଅଭିମୁଖେ ଯାତ୍ରା କରିବେ । ସେଠାରୁ ୧୬ ଡିସେମ୍ବରରେ ସେ ଆଣ୍ଟାର୍କଟିକାର ୟୁନିୟନ ଗ୍ଲାସିୟର ଅଭିମୁଖେ ଯାତ୍ରା କରିବେ । ସେଠାରୁ ୧୮ ତାରିଖରେ ସେ ମାଉଣ୍ଟ ଭିନସନ ଆରୋହଣ କରିବା ଆରମ୍ଭ କରିବେ । ୨୯ ବା ୩୦ ତାରିଖରେ ସେ ଶିଖରରେ ପହଞ୍ଚିବା ଆଶା କରାଯାଉଛି ।

ଏହି ଅଭିଯାନ ଲାଗି ଅରୁଣିମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିରଙ୍ଗ ପତାକା ପ୍ରଦାନ କରିଛନ୍ତି । ସୁଶ୍ରୀ ଅରୁଣିମା ସିହ୍ନା ପୂର୍ବରୁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ପ୍ରଥମ ଦିବ୍ୟାଙ୍ଗ ମହିଳା ଥିଲେ । ଆଜି ସେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଆଗାମୀ ଆଣ୍ଟାର୍କଟିକାର ଗିରିଶୃଙ୍ଗ ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ମୋଦୀ ଅରୁଣିମାଙ୍କ ଉଲ୍ଲେଖନୀୟ ସଫଳତା ଲାଗି ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନର ଅଭିଯାନ ଲାଗି ଶୁଭକାମନା କରିଥିଲେ । ପୂର୍ବରୁ ଅରୁଣିମା ସିହ୍ନା ପାଞ୍ଚୋଟି ମହାଦେଶର ଉଚ୍ଚତମ ଶୃଙ୍ଗମାନ ଆରୋହଣ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଦିବ୍ୟାଙ୍ଗ ମହିଳା ।

ସମ୍ବନ୍ଧିତ ଖବର