ଏବେ ବି ସବୁକିଛି ରହସ୍ୟାବୃତ୍ତ

ଆରୁଷିର ହତ୍ୟାକାରୀ କିଏ ?

ଆହ୍ଲାବାଦ:    ମେ, ୨୦୦୮ରେ ଉତ୍ତର ପ୍ରଦେଶର ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲବାର ଓ ମା’ ନୁପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ଏହି ମାମଲା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ସିବିଆଇ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ପିତା-ମାତାଙ୍କୁ ହାଇକୋର୍ଟ ମୁକ୍ତ କରିଦେବା ପରେ ପ୍ରକୃତରେ ହତ୍ୟାକାରୀ କିଏ ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ପୁଲିସ ଏବଂ ସିବିଆଇର ତଦନ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା ଯେ ଘର ଭିତରର କେହି ଏହି ହତ୍ୟାକାଣ୍ଡ ଘଟାଇଛି। ଡାକ୍ତରମାନେ ଅସ୍ତ୍ରୋପଚାରରେ ବ୍ୟବହାର କରୁଥିବା ସରଂଜାମରେ ଆରୁଷି ଓ ହେମରାଜଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ତତ୍କାଳୀନ ଆଇନ ଗୁରୁଦର୍ଶନ ସିଂହ ଏହି ମାମଲର ଯାଞ୍ଚ ରିପୋର୍ଟ ଆଧାରରେ କହିଥିଲେ ଯେ ରାଜେଶ ତଲବାର ଆରୁଷି ଏବଂ ହେମରାଜକୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ  ପ୍ରଥମେ ହେମରାଜ ଏବଂ ପରେ ଆରୁଷିକୁ ହତ୍ୟା କରିଥିଲେ। ତେବେ  ପ୍ରବଳ ଚାପ ଯୋଗୁଁ ଆଇଜି ତାଙ୍କର ଏହି  ମତ ବଦଳାଇଥିଲେ ଏବଂ କହିଥିଲେ ଯେ ଡ ତଲବାର ଅବୈଧ ସଂପର୍କକୁ ବିରୋଧ କରିବାରୁ ପ୍ରଥମେ ଆରଉ ଏବଂ ପରେ ଘରୋଇ ସହାୟକ ହେମରାଜକୁ ହତ୍ୟା କରିତିଲେ। ଏହି ଡବଲ ମର୍ଡରରେ ଆରୁଷିଙ୍କ ମା’ ଡ. ନୁପୁର ତଲଓ୍ଵାର ମଧ୍ୟ ସାମିଲ ଥିଲେ ବୋଲି ଯାଞ୍ଚରୁ ଜଣାପଡ଼ିଥିଲା।  ଦନ୍ତ ଚିକିତ୍ସକ ତଲବାର ଦମ୍ପତିଙ୍କ ୧୪ ବର୍ଷର ଝିଅ ଆରୁଷିର ମୃତଦେହ ତା’ର ବେଡରୁମ୍‌ରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଥିଲା।  ଘରର ଚାକର ହେମରାଜ ନିଖୋଜ ହୋଇଯାଇଥିଲା।  ତେଣୁ ପ୍ରଥମେ ହେମରାଜ ହିଁ ଆରୁଷିକୁ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଆରୁଷି ହତ୍ୟା ନେଇ ତଲବାର ଦମ୍ପତି ପ୍ରଥମେ ପୁଲିସକୁ କିଛି ଜଣାଇନଥିଲେ । ବହୁ ବିଳମ୍ବରେ କେତେକ ସଂପର୍କୀୟ ପୁଲିସକୁ ଏ ବାବଦରେ ଖବର ଦେଇଥିଲେ। ଦୃଢ଼ ଯୁକ୍ତି କରି ହେମରାଜ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଥିଲେ। ତେବେ ଘଟଣାର ପରଦିନ  ହେମରାଜର ଶବ ମିଳିବା ବିସ୍ମୟ ସୃଷ୍ଟି କରିଥିଲା।  ଏହି ହତ୍ୟା ମାମଲାର ଯାଞ୍ଚ ତ୍ରୁଟିପୂର୍ଣ୍ଣ ଥିଲା ବୋଲି କୋର୍ଟ ଦର୍ଶାଇବା ସହ ପ୍ରମାଣ ଅଭାବରୁ ତଲବାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆରୁଷିଙ୍କ ପିତା-ମାତା ଆରୁଷିକୁ ହତ୍ୟା କରିଥିବା ନେଇ କୌଣସି  ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ। ଏଭଳି ମାମଲାରେ ସେମାନଙ୍କୁ ଯେଭଳି ଦଣ୍ଡିତ କରାଯାଇଛି, ସୁପ୍ରିମ୍‌ କୋର୍ଟ ମଧ୍ୟ ସେଭଳି କଠୋର ଦଣ୍ଡ  ଦିଏ ନାହିଁ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟ ତୁରନ୍ତ ତଲବାର ଦମ୍ପତିଙ୍କୁ  ଜେଲରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଏ.କେ. ମିଶ୍ର ଆଜି ଏ ବାବଦ ରାୟ ପଢ଼ି ଶୁଣାଇଥିଲେ। ଜେଲ୍‌ରେ ବନ୍ଦୀ ଥିବା ତଲବାର ଦମ୍ପତି ଭିଡିଓ କନ୍‌ଫରେନ୍‌୍‌ସିଂ ମାଧ୍ୟମରେ ରାୟ ଶୁଣିବା ପରେ ଭାବପ୍ରବଣ  ହୋଇ କାନ୍ଦି ପକାଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଗାଜିଆବାଦ ଜେଲ୍‌ରେ ବନ୍ଦୀ ଥିବା ରାଜେଶ ଏବଂ ନୁପୁରୁ ତଲଓ୍ଵାରଙ୍କୁ ଆସନ୍ତାକାଲି ଖଲାସ କରାଯିବ ବୋଲି ଜଣାପଡ଼ିଛି। ୧୪ ବର୍ଷର ଝିଅ ଆରୁଷିକୁ ହତ୍ୟା ମାମଲାରେ  ପିତା-ମାତାଙ୍କୁ ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରି  ୨୦୧୩ ନଭେମ୍ବର ୨୬ ତାରିଖରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ନୋଏଡ଼ାର ସେକ୍‌ଟର ୨୫ ସ୍ଥିତି ଜଳବାୟୁ  ବିହାରରେ  ଘଟିଥିବା ଏହି ଡବଲ ମର୍ଡର ମାମଲାର ଯାଞ୍ଚ ପ୍ରଥମେ ପୁଲିସ ଏବଂ ପରେ ସିବିଆଇର ୨ଟି ଟିମ୍‌ କରିଥିଲେ।   ମେ, ୧୬ ୨୦୦୮ରେ ଆରୁଷିକୁ ଗଳକାଟି ହତ୍ୟା  କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଘରୋଇ ସହାୟକ ହେମରାଜ ଆରୁଷିକୁ ହତ୍ୟା କରିଥିବା ସନ୍ଦେହ ହୋଇଥିଲା। ତେବେ ଦୁଇଦିନ ପରେ ଘରର ଛାତରୁ ହେମରାଜର ଶବ  ଉଦ୍ଧାର ହେବାପରେ ତଦନ୍ତର ଦିଗ ବଦଳି ଯାଇଥିଲା।  ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ  ମାୟାବତୀ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ଆଜି ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିକେ ନାରାୟଣ ଏବଂ ଏକେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ  ତଲଓ୍ଵାର ଦମ୍ପତ୍ତିଙ୍କୁ ଦୋଷମୁକ୍ତ କରିବା ସହ  ଗାଜିଆବାଦ ସିବିଆଇ ଅଦାଲତ  ରାୟକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର