ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଭି କେ ଜୈନ

ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ମାଡ଼ ଘଟଣାରେ ଭି କେ ଜୈନ ଥିଲେ ପ୍ରତ୍ୟକ୍ଷଦର୍ଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ଭି କେ ଜୈନ ତାଙ୍କ ପଦବିରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ସରକାରୀ ବାସଭବନରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ମାଡ଼ ଘଟଣାରେ ଭି କେ ଜୈନ ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ଥିଲେ।

ଏହି ମାମଲାରେ ଶ୍ରୀ ଜୈନଙ୍କୁ ଦିଲ୍ଲୀ ପୋଲିସ୍‌ ଜେରା କରିଥିଲା। ଜେରା କାଳରେ ପୋଲିସ୍‌କୁ ସେଦିନ ରାତିରେ ଘଟିଥିବା ଘଟଣା ସଂପର୍କରେ ଶ୍ରୀ ଜୈନ କହିଥିଲେ ଯେ (ଆମ୍‌ ଆଦ୍‌ମୀ ପାର୍ଟି) ଆପ୍‌ର ବିଧାୟକ ପ୍ରକାଶ ଜରଓ୍ଵାଲ ଓ ଅମାନତୁଲ୍ଲା ଖାନ୍‌ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବାସଭବନରେ ଘେରିଯିବା ସହ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ଘଟିବା ସମୟରେ ସେ ଓ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଶ୍ରୀ ଜୈନଙ୍କର ଏହି ବୟାନକୁ ଦିଲ୍ଲୀ ପୋଲିସ୍‌ ସୋମବାର କୋର୍ଟରେ ଦାଖଲ କରିବା ପରେ ଶ୍ରୀ ଜୈନ ମଙ୍ଗଳବାର ତାଙ୍କ ପଦବିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀ ଜୈନ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ ଦାଖଲ କରିବା ସହ ଏହାର ନକଲ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ମାଡ଼ ଘଟଣା ପରଠାରୁ ଅସୁସ୍ଥ ଥିବା ଦର୍ଶାଇ ଶ୍ରୀ ଜୈନ କାର୍ଯ୍ୟାଳୟକୁ ଆସୁ ନଥିଲେ। ସେ ନିଜର ଇସ୍ତଫା ପତ୍ରରେ ନିଜର ବ୍ୟକ୍ତିଗତ ସମସ୍ୟା ଓ ପାରିବାରିକ କାରଣ ପାଇଁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି। ଶ୍ରୀ ଜୈନଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର