ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ୧୮ରେ ଜେରା କରିବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟଶାସନ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରିଛି। ଏହି ମାମଲାର ତଦନ୍ତ କ୍ରମରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବ ବୋଲି ଜାରି ନୋଟିସ୍‌ରେ କହିଛି। ପୂର୍ବରୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ୍‌ ଗତ ମାସରେ ଜେରା କରି ସାରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଫେବ୍ରୁଆରି ୧୯ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଯୋଗଦେବାକୁ ଯାଇଥିବା ବେଳେ ସେହି ବୈଠକରେ ଯୋଗ ଦେଇଥିବା କେତେକ ବିଧାୟକ ସଂଘବଦ୍ଧ ହୋଇ କେଜ୍ରିଓ୍ଵାଲଙ୍କ ସମ୍ମୁଖରେ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାରିଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ, ତାଙ୍କ ଉପଦେଷ୍ଟା ଭିକେ ଜୈନ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆପ୍‌ର ବିଧାୟକ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ମାରି ଆହତ କରିଥିବା ବେଳେ ଏମାନେ ସମସ୍ତେ ନିରବଦ୍ରଷ୍ଟା ସାଜି ବସି ରହିଥିଲେ। ପରେ, ଘଟଣା ସଂପର୍କରେ ମୁଖ୍ୟ ସଚିବ ପୁଲିସ୍‌ରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର