ପଦ ଛାଡିଲେ ମୁଖ୍ୟ ଅର୍ଥନୈତକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ

ନୂଆଦିଲ୍ଲୀ : ମୁଖ୍ୟ ଅର୍ଥନୈତକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ପରିବାରକୁ ଅଧିକ ସମୟ ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଶ୍ରୀ ସୁବ୍ରମଣ୍ୟମ ଗତ ୨୦୧୪ ଅକ୍ଟୋବର ୧୬ରେ ଅର୍ଥମନ୍ତ୍ରାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ତିନିବର୍ଷ ପାଇଁ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଗତ ବର୍ଷ ସମାପ୍ତ ହୋଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପାଇଁ ବଢାଇ ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳରେ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ ମଧ୍ୟ ମୁଖ୍ୟତଃ ତିନୋଟି କାର୍ଯ୍ୟ ପାଇଁ ସେ ସ୍ମରଣୀୟ ରହିବେ । ଏହି ତିନୋଟି କାର୍ଯ୍ୟ ହେଉଛି ଜନଧନ, ଆଧାର ଓ ମୋବାଇଲ । ଲୋକମାନଙ୍କ ପାଖକୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ସେ ଏହି ତିନୋଟିର ବ୍ୟବହାର କରି ସଫଳତା ହାସଲ କରିଥିଲେ । ଆହୁରି ମଧ୍ୟ ଧନୀଲୋକଙ୍କ ପାଖରୁ ସବସୀଡି ପ୍ରତ୍ୟାହାର ଲାଗି ସେ କେତେକ ସୁଚିନ୍ତିତ ଉପାୟ ବାହାର କରିଥିଲେ । ଦେଶରେ ଜିଏସଟି ଲାଗୁ କରିବା କ୍ଷେତ୍ରରେ ତାଙ୍କର ଉଦ୍ୟମ ଓ ପରାମର୍ଶ ବେଶ ଉପଯୋଗୀ ଥିଲା ବୋଲି ଜେଟଲୀ କହିଛନ୍ତି । ସେବାନିବୃତ୍ତ ହେବାପରେ ସେ ଆମେରିକାକୁ ଫେରିଯିବେ ବୋଲି ଜଣାଯାଇଛି ।

 

 

ସମ୍ବନ୍ଧିତ ଖବର