ଦ୍ୱିତୀୟ ଦିନରେ ବି ଟଙ୍କା ଶୂନ୍ୟ ଏଟିଏମ୍‌: ଏସ୍‌ବିଆଇ କହିଲା ୭୦,୦୦୦ କୋଟି ଟଙ୍କାର ନଗଦ ନୋଟ୍‌ ଅଭାବ

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ଦେଶରେ ଅର୍ଥ ଅଭାବ ନାହିଁ ବୋଲି ମତ ଦେଇଥିବା ବେଳେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସଇବିଆଇ) ପକ୍ଷରୁ  ଦ୍ୱିମତ ପ୍ରକାଶ ହୋଇଛି। ଗତ ଦୁଇ ଦିନ ହେବ ଦେଶର ବିଭିନ୍ନ ଏଟିଏମ୍‌ରୁ ଟଙ୍କା ନବାହାରିବାରୁ ଏସ୍‌ବିଆଇ ପକ୍ଷରୁ ଏ ନେଇ ବୁଧବାର ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୭୦,୦୦୦ କୋଟି ଟଙ୍କା ଅଭାବ ଥିବା ହେତୁ ଏପରି ପରିସ୍ଥିତି ଉପୁଜିଛି।

ଏଟିଏମ୍‌ରେ ଅର୍ଥ ଅଭାବ ସମସ୍ୟା ଏକ ଜାତୀୟ ଖବର ପାଲଟିବାର ପରଦିନ ହିଁ ଏସ୍‌ବିଆଇ ପକ୍ଷରୁ ଏହି ଗବେଷଣା କରାଯାଇଛି। ଯେଉଁ ପରିମାଣରେ ଏଟିଏମ୍‌ଗୁଡ଼ିକରୁ ଟଙ୍କା ଉଠାଯାଉଛି ସେହି ପରିମାଣରେ ଜମା ହେଉନଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି ସୂଚନା ହସ୍ତଗତ ହୋଇଛି। ଜନସାଧାରଣଙ୍କ ଆବଶ୍ୟକତା ବେଳେ ଯେକୌଣସି ବି ପରିସ୍ଥିତିରେ ସେମାନଙ୍କ ନିକଟରେ ଅର୍ଥ ଉପଲବ୍ଧ କରାଇବା ସରକାର ଓ ଆର୍‌ବିଆଇର କାମ ହୋଇଥିବା ବେଳେ ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବ ପରିସ୍ଥିତି ଲୋକ ଅସନ୍ତୋଷର କାରଣ ପାଲଟିଛି।

ଏଭଳି ଟଙ୍କା ଅଭାବ ଅନୁଭୂତ ହେବା ପଛରେ ଗୁଡ଼ାଏ କାରଣ ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଧିକ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍‌କୁ ହୋର୍ଡି କରାଯାଉଛି, ଅର୍ଥାତ ୨୦୦୦ ଟଙ୍କିଆ ନୋଟ୍‌ ଅଧିକ ପରିମାଣରେ ଏଟିଏମ୍‌ରେ ଉପଲବ୍ଧ ହେଉନାହିଁ। ଏପଟେ ପ୍ରାୟ ୫  ମାସ ହେବ ୫୦୦ ଟଙ୍କିଆ ନୋଟ୍‌ ଛପା ଯାଇନାହିଁ। ଏପରିସ୍ଥତିରେ ଅଧିକରୁ ଅଧିକର ପରିମାଣର ୨୦୦ ଟଙ୍କିଆ ନୋଟ୍‌ ତୁରନ୍ତ ଛପାଗଲେ ଯାଇ ଉପୁଜିଥିବା ସମସ୍ୟାର ସମାଧାନ କରିହେବ। ଏହାଛଡ଼ା ଅନେକ ଏଟିଏମ୍‌ରେ ୨୦୦ ଟଙ୍କିଆ ନୋଟ୍‌ ରହିବା ପାଇଁ ପ୍ଲେଟ୍‌ ଉପଲବ୍ଧ ନଥିବା ବି ଅନ୍ୟତମ କାରଣ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ବିଭିନ୍ନ ଏଟିଏମ୍‌ରୁ ୧୫,୨୯୧ ବିଲିୟନ୍‌ ଅର୍ଥ ଉଠାଯାଇଛି। ଏହା ଗତ ଛଅ ମାସ ଅପେକ୍ଷା ୧୨.୨ ପ୍ରତିଶତ ଅଧିକ।

ଅନ୍ୟପକ୍ଷରେ ଦେଖିବାକୁ ମିଳିଛି ଯେ ବିମୁଦ୍ରାୟନ ପୂର୍ବରୁ ଦିନକୁ ପ୍ରାୟ ୭ ହଜାର କୋଟି ଟଙ୍କା ଏଟିଏମ୍‌ରେ ଜମା କରିବାକୁ ପଡୁଥିବା ବେଳେ ଏବେ ପ୍ରାୟ ୧୦ ହଜାର କୋଟି ଟଙ୍କା ଜମା କରିବାକୁ ପଡୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍‌ ଇଣ୍ଡିଆର ସ୍ୱପ୍ନ ସାକାର ହେବା ଉପରେ କୌଣସି ନିଶ୍ଚିତତା ନାହିଁ।

 

ସମ୍ବନ୍ଧିତ ଖବର