ସିବିଆଇରେ ଅନ୍ତଃକନ୍ଦଳ : ସ୍ବତନ୍ତ୍ର ନିର୍ଦେଶକଙ୍କ ବିରୋଧରେ ଲାଞ୍ଚ ମାମଲା

ସିବିଆଇ ମୁଖ୍ୟଙ୍କ ବିରୋଧରେ ପାଲଟା ବିଷୋଦ୍‌ଗାର

ନୂଆଦିଲ୍ଲୀ : ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ‌ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ)ରେ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଏବେ ଚର୍ଚା ଜୋର ଧରିଛି। ସିବିଆଇ ଏହାର ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ୨ କୋଟି ଟଙ୍କାର ଲାଞ୍ଚ ମାମଲା ନେଇ ଏଫ୍‌ଆଇଆର ରୁଜୁ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନିଜର କୌଣସି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ଏଭଳି ଏଫଆଇଆର ଦାଖଲ କରିବାରେ ଏହା ହେଉଛି ପ୍ରଥମ ଘଟଣା। ଆସ୍ଥାନା ଏଥିପାଇଁ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ଦାୟୀ କରିଛନ୍ତି। ଏହାସହିତ ସେ ସିବିଆଇ ମୁଖ୍ୟ ଏବଂ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଅରୁଣ ଶର୍ମାଙ୍କ ବିରୋଧରେ ମଧ୍ୟ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ ସେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ କିଛି ଦିନ ପୂର୍ବେ ସିବିଆଇ ଆସ୍ଥାନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ଠାରୁ ଆସ୍ଥାନା ୨ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ସିବିଆଇ ହାଜତରେ ଥିବା ସାନା ଅଭିଯୋଗ କରିଥିଲେ, ସେ ଗତ ୧୦ ମାସ ମଧ୍ୟରେ ଆସ୍ଥାନାଙ୍କୁ ୨ କୋଟି ଟଙ୍କା ବିଭିନ୍ନ କିସ୍ତି‌େର ଦେଇଛନ୍ତି। ମାଂସ ରପ୍ତାନିକାରୀ ମୋଇନ କୁରେସୀ ମାମଲାରେ ତାଙ୍କୁ ଜଡ଼ିତ ନକରିବା ଲାଗି ସେ ଏହି ଉ‌େତ୍କାଚ ଦେଇଥିବା କହିଥିଲେ।

‌େତବେ ସିବିଆଇ ପଦାନୁକ୍ରମରେ ଦ୍ବିତୀୟ ସ୍ଥାନରେ ଥିବା ବରିଷ୍ଠ ଅଧିକାରୀ ରାକେଶ ଅସ୍ଥାନା ନିଜ ବିରୋଧରେ ଆସିଥିବା ଏଭଳି ସଙ୍ଗିନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା ସେ ଦର୍ଶାଇଛନ୍ତି। କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ ସତୀଶ ସନାଙ୍କ ଅଭିଯୋଗ କେବଳ ଏକ ଷଡ଼ଯନ୍ତ୍ର। ସିବିଆଇ ଏବଂ ଇଡିର କିଛି ବରିଷ୍ଠ ଅଧିକାରୀ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇବାକୁ ଉଦ୍ୟମ ଚଳାଇଛନ୍ତି।

ଅସ୍ଥାନା‌ ଅଭିଯୋଗ କରିଛନ୍ତି ଯେ ମୋଇନ କ୍ୟୁରେସୀ ମାମଲାରେ ତଦନ୍ତକୁ ବିଗାଡ଼ିବା ପାଇଁ ସତୀଶ ସନାଙ୍କ ଦ୍ବାରା ସିବିଆଇ ମୁଖ୍ୟଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି। କିନ୍ତୁ ସତୀଶ ସନାଙ୍କୁ ଦେଶ ଛାଡ଼ିବାରୁ ବାରଣ କରାଯିବାରୁ ଏବଂ ତଦନ୍ତ ପ୍ରକ୍ରିୟାରେ ଯୋଗ ଦେବାକୁ କୁହାଯିବାରୁ ତାଙ୍କ ବିରୋଧରେ ଏହି ଷଡ଼ଯନ୍ତ୍ର କରାଯାଇଛି।

ଅସ୍ଥାନା ପ୍ରାରମ୍ଭରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟ ଜଡ଼ିତ ଥିବା ଏକ ଦୁର୍ନୀତି ମାମଲାରେ ହସ୍ତକ୍ଷେପ କରିଛନ୍ତି। କିନ୍ତୁ ପରେ ସିବିଆଇ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ଏବଂ ରାକେଶ ଅସ୍ଥାନା ନିଜେ କେତେଗୁଡ଼ିଏ ମାମଲାରେ ତଦନ୍ତାଧୀନ ଅଛନ୍ତି ବୋଲି କୁହାଯା‌ଇଥିଲା। ତେବେ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ସନ୍ଦରସରା ବ୍ରଦର୍ସ ମାମଲାରେ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିଥିଲା।

ସମ୍ବନ୍ଧିତ ଖବର