ଆସାମ ଓ ବିହାରରେ ବନ୍ୟା: ୩୫ ମୃତ, ୨୬ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମ ଓ ବିହାରରେ ବନ୍ୟା ସ୍ଥିତି ଅତି ଭୟଙ୍କର ରୂପ ନେଇଛି। ଆସାମରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବାବେଳେ ବିହାରରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଆସାମର ୨୮ ଜିଲ୍ଲାରେ ପ୍ରାୟ ୨୬.୫ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଗତକାଲି ଜୋରହାଟ, ବାରପେଟା, ଧୁବ୍ରି ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୮ ପ୍ରଭାବିତ ଜିଲ୍ଲା ମଧ୍ୟରୁ ବାରପେଟା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୭.୩୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ମୋରିଗାଓଁରେ ୩.୫୦ ଲକ୍ଷ ଏବଂ ଏହାପରେ ଧୁବ୍ରିରେ ୩.୩୮ ଲକ୍ଷ ପ୍ରଭାବିତ ହୋଇଛନ୍ତି। ସେହିପରି ବିହାରର ୯ ଜିଲ୍ଲାରେ ପ୍ରାୟ ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ୫ ଟି ନଦୀ ଏବେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆକାଶ ମାର୍ଗରୁ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ୯ ଜିଲ୍ଲାର ୫୫ ବ୍ଲକ୍‌ରେ ୧୭,୯୬,୫୩୫ ଜଣ ପ୍ରଭାବିତ ହୋଇଛନ୍ତି। ୧୩ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ଟିମ୍‌ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟରେ ୪୫,୦୫୩ ଲୋକଙ୍କ ପାଇଁ ୧୨୫ ରିଲିଫ୍‌ ଶିବିର ଖୋଲିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ନୀତୀଶ କୁମାର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ମେଘାଳୟରେ ଅଚାନକ ବନ୍ୟା ଫଳରେ ୧ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି।

ସମ୍ବନ୍ଧିତ ଖବର