ଆସାମ ଏନ୍‌ଆର୍‌ସି ତାଲିକା : ନାଗରିକତ୍ୱ ଦାବି ପାଇଁ ନୂଆ ପ୍ରମାଣ ନାହିଁ

ଗୌହାଟୀ: ଆସାମ ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ନିଜ ନାଗରିକତ୍ୱର ପ୍ରମାଣ ଦେବା ଏବେ କଷ୍ଟକର ହୋଇପଡ଼ିଛି। ଅଧିକାଂଶ ଲୋକଙ୍କ ନିକଟରେ କୌଣସି ନୂଆ ପ୍ରମାଣପତ୍ର ନଥିବା ଜଣାଯାଇଛି। ସେମାନେ ଏବେ ନିରୁପାୟ ବୋଲି ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଆର୍‌ସି ଚୂଡ଼ାନ୍ତ ଚିଠା ତାଲିକାରୁ ରାଜ୍ୟର ୪୦ ଲକ୍ଷ ବାଦ୍‌ ପଡ଼ିଥିଲେ। ଚିଠା ତାଲିକା ହୋଇଥିବାରୁ ସେମାନେ ପୁନଃ ଦାବି ବା ଆପତ୍ତି ଜଣାଇ ପାରିବେ ବୋଲି ସରକାର କହିଥିଲେ। ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ କ’ଣ ଦେଖାଇ ସେମାନେ ନିଜ ନାଗରିକତ୍ୱର ପ୍ରମାଣ ଦେବେ ସେ ନେଇ କିଛି ଭାବିପାରୁ ନାହାନ୍ତି। ଗୌହାଟୀରୁ ୪୦ କିଲୋମିଟର ଦୂର ଡିମୋରିଆ ଗ୍ରାମରେ ଦରଜୀ ଭାବେ କାର୍ଯ୍ୟ କରୁଥିବା ୪୮ ବର୍ଷୀୟ ସୁନୀଲ ସରକାର କୁହନ୍ତି ଯେ ଏନ୍‌ଆର୍‌ସି ତାଲିକାରେ ସ୍ଥାନ ପାଇବେ ବୋଲି ନିଶ୍ଚିତ ଥିଲେ। ତାଙ୍କ ବଂଗାଳୀ ହିନ୍ଦୁ ପିତାମାତା ୧୯୬୦ରେ ଆସାମର ନଗାଓଁ ଚାଲିଆସିଥିଲେ। ପୂର୍ବ ବାଂଲାଦେଶରୁ ସେମାନେ ପଳାଇ ଆସିଥିଲେ। ଏଠାରେ ତାଙ୍କର ଜନ୍ମ ହୋଇଥିଲା। ୨୦୧୫ରେ ଫରେନର୍ସ ଟ୍ରିବ୍ୟୁନାଲ୍‌ରୁ ତାଙ୍କ ନିକଟକୁ ଏକ ନୋଟିସ୍‌ ଆସିଥିଲା। ଏହାପରେ ତାଙ୍କୁ ଭାରତର ନାଗରିକ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସଦ୍ୟତମ ଆସାମ ନାଗରିକ ତାଲିକାରେ ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମ ନାହିଁ। ତାଙ୍କ ନିକଟରେ ଜନ୍ମ ପ୍ରମାଣପତ୍ର ବି ନାହିଁ। ତେଣୁ ସେ କିଭଳି ନିଜ ଦାବି ଜଣାଇପାରିବେ ବୋଲି ପ୍ରଶ୍ନ କରିଛନ୍ତି। ମୁଁ ମୋ ପିତାଙ୍କ ନାଗରିକତ୍ୱ ପ୍ରମାଣପତ୍ର ଦାଖଲ କରିଥିଲି। ୧୯୭୧ରେ ଭୋଟର ତାଲିକାରେ ତାଙ୍କ ନାମ ମଧ୍ୟ ଥିଲା। ତେଣୁ ଆମେ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି। ଶୁକ୍ରବାର ଲୋକଙ୍କ ଦାବି ଓ ଆପତ୍ତି ଶୁଣିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ହଜାର ହଜାର ଲୋକ ଆସି ସାନି ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର