ସଲମାନ୍‌ଙ୍କ ପରେ ଏବେ ପାଳି ଆଶାରାମ୍‌ଙ୍କର; ଶୁଣାଣି ଶେଷ ଚୂଡ଼ାନ୍ତ ରାୟ ୨୫ରେ

ଖସିବେ ନା ଫସିବେ ଏଇ ଚିନ୍ତାରେ କାଟୁଛନ୍ତି ବିନିଦ୍ର ରଜନୀ

ଯୋଧପୁର: ଯୋଧପୁରରେ ଏବେ ଦେଶର ଚର୍ଚ୍ଚିତ ଅଭିନେତା ସଲମାନ୍‌ ଖାନ୍‌ଙ୍କ ପରେ ପାଳି ପଡ଼ୁଛି, ଚର୍ଚ୍ଚିତ ଧର୍ମଗୁରୁ ଆଶାରାମ୍‌ ବାପୁଙ୍କର। କାରଣ, ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କ ବିରୋଧରେ ଆଗତ ଏକ ନାବାଳିକା ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ୨୫ ତାରିଖରେ ଘୋଷଣା କରିବେ ଯୋଧପୁରର ଏସ୍‌ସି/ ଏସ୍‌ଟି କୋର୍ଟ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଯୋଧପୁରର ଏକ ସେସନ୍ସ କୋର୍ଟ, ଦୁଇଟି କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ପାଇଁ କାରାଦଣ୍ଡର ଆଦେଶ ଦେବାପରେ ଗୁରୁବାର ଠାରୁ ସଲମାନ୍‌ ଯାଇ ରହିଥିଲେ, ଯୋଧପୁର ସେଣ୍ଟ୍ରାଲ ଜେଲରେ। ଯୋଧପୁର ସେଣ୍ଟ୍ରାଲ ଜେଲର ଯେଉଁ ସେଲ୍‌ରେ ସଲମାନ୍‌ ରହୁଥିଲେ ଠିକ୍‌ ତା’ର ସାମନା ସେଲ୍‌ରେ ଥିଲେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ। ଦୁଇଦିନ ଜେଲରେ ରହିବା ପରେ ସଲମାନ୍‌ ଆଜି ଅନ୍ୟ ଏକ ଉପର କୋର୍ଟରୁ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଅନ୍ୟପକ୍ଷରେ ନାବାଳିକା ଦୁଷ୍କର୍ମ ଅପରାଧରେ ଯୋଧପୁର ପୋଲିସ୍‌ ହାତରେ ଗିରଫ ହୋଇ ୨୦୧୩ ଅଗଷ୍ଟ ୩ ତାରିଖ ଠାରୁ ଯୋଧପୁର ସେଣ୍ଟ୍ରାଲ ଜେଲରେ ଅଛନ୍ତି ଆଶାରାମ ବାପୁ। ପୂର୍ବରୁ ଏକାଧିକ କୋର୍ଟରେ ଏକାଧିକ ବାର ଜାମିନ ପାଇଁ ଆବେଦନ କରିଥିଲେ ସୁଦ୍ଧା ସବୁଥର ତାଙ୍କର ଜାମିନ୍‌ ଆବେମଦନ ଖାରଜ ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ସଂଯୋଗ କ୍ରମେ ଆଶରାମଙ୍କ ବିରୋଧରେ ଚାଲିଥିବା ଏହି ମାମଲାର ଦୀର୍ଘ ଶୁଣାଣି ମଧ୍ୟ ଆଜି ଶେଷ ହୋଇଛି ଏବଂ ଚୂଡ଼ାନ୍ତ ରାୟ ଆସନ୍ତା ୨୫ ତାରଖରେ ପ୍ରକାଶ ପାଇବ ବୋଲି ବିଚାରପତି ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଶାରାମଙ୍କ ଆଖିରୁ ଏବେ ନିଦ ହଜିଯାଇଛି। ଅନ୍ୟମାନଙ୍କ ଭାଗ୍ୟ ଭବିଷ୍ୟତ ଗଣନା କରୁଥିବା ବାବା ଆଶାରାମ ଏବେ ନିଜ ଭାଗ୍ୟ ଭବିଷ୍ୟତ ଚିନ୍ତାରେ ବ୍ୟଥିତ ହୋଇ ଉଠିଛନ୍ତି। କାରଣ, ଯଦି ଏହି ମାମଲାରେ ଯଦି ବାବା ଆଶରାମ ଦୋଷୀ ସାବ୍ୟସ୍ତ ହୋଇଗଲେ, ତେବେ ତାଙ୍କୁ ଅତିକମ୍‌ରେ ୧୦ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ କାଟିବାକୁ ପଡ଼ିବ। ଏହାବାଦ ପୁଣି ବାବାଙ୍କ ବିରୋଧରେ ଅନ୍ୟ ଏକ ଦୁଷ୍କର୍ମ ମାମଲା ଗୁଜୁରାଟରେ ବିଚାରାଧୀନ ରହିଛି। ତେଣୁ, ଅଦାଲତ ଯଦି ବାବାଙ୍କୁ ଏହି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଦିଅନ୍ତି ତେବେ ସ୍ୱୟଂ ଈଶ୍ୱର ଚାହିଁଲେ ତାଙ୍କୁ ଆଉ ଜେଲ୍‌ରୁ ମୁକୁଳାଇ ପାରିବେ ନାହିଁ କି ବାହାର ପବନ ଖୁଆଇ ପାରିବେ; ଆଉ ରଙ୍ଗୀନ୍‌ ଦୁନିଆ ତ ବହୁତ ଦୂରର କଥା! ଜେଲ୍‌ର କାଳ କଠୋରି ମଧ୍ୟରେ ହୁଏତ ବିତିଯିବ ବଞ୍ଚିଥିବା ଅବଶିଷ୍ଟ ଜୀବନ! ଏହି ଚିନ୍ତାରେ ମ୍ରିୟମାଣ ଆତ୍ମଘୋଷିତ ଧର୍ମଗୁରୁ ଏବେ ଗୁମୁରି ଗୁମୁରି କନ୍ଦୁଛନ୍ତି ଯୋଧପୁର ସେଣ୍ଟ୍ରାଲ ଜେଲର ସେଲ୍‌ ମଧ୍ୟରେ! ତଥାପି ଆଶା ହରାଇ ନାହାନ୍ତି ଆଶାରାମ! ଚମତ୍‌କାରୀତା ଦ୍ୱାହିରେ ସାରାଜୀବନ ଅନ୍ୟମାନଙ୍କୁ ଭଣ୍ଡାଇ ଆସିଥିବା ଆଶରାମ ତଥାପି ଆଶରେ ବଞ୍ଚିଛନ୍ତି, କାଳେ କିଛି ଚମ୍‌ତକାର ଘଟିଯିବ ଏବଂ ସମସ୍ତ ଅପରାଧରୁ ନିର୍ଦ୍ଦୋଷରେ ଖଲାସ ହୋଇ ସେ ଆଉଥରେ ଫେରିଯିବେ ତାଙ୍କ ରଙ୍ଗୀନ୍‌ ଦୁନିଆକୁ।

ସମ୍ବନ୍ଧିତ ଖବର