ଏସ୍‌ସିଓ ସମ୍ମିଳନୀ, ଚୀନ୍‌ ଓ ରୁଷ୍‌ ସହ ଦ୍ବିପାକ୍ଷିକ ଆଲୋଚନା

ପାକ୍‌ ଓ ଆତଙ୍କବାଦ ପ୍ରସଙ୍ଗ ଉଠିଲା. ଚଳିତ ବର୍ଷ ଭାରତ ଗସ୍ତରେ ଆସିବେ ଜିନ୍‌ପିଙ୍ଗ୍‌

ବିସ୍କେକ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଭାଗ ନେବାପାଇଁ ଆଜି ଅପରାହ୍ନରେ କିର୍ଗିଜ୍‌ସ୍ତାନର ରାଜଧାନୀ ବିସ୍କେକ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିସ୍ତରୀୟ ଆଲୋଚନାରେ ଉଭୟ ରାଷ୍ଟ୍ରଙ୍କ ସହିତ ଦ୍ବିପାକ୍ଷିକ ସଂପର୍କ ସୁଦୃଢ଼ କରିବା ପାଇଁ ଭାରତ ଗୁରୁତ୍ବାରୋପ କରିଛି। ରୁଷ୍‌ର ସାମରିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନ୍‌ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଆଗକୁ ରଣନୀତିକ ସହଯୋଗ ଆହୁରି ବ୍ୟାପକ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ସାକ୍ଷାତ କରି ଦ୍ବିପାକ୍ଷିକ ସଂପର୍କକୁ ମଜବୁତ କରିବା ପାଇଁ ଆଲୋଚାନ କରିଥିଲେ। ଗତ ମାସରେ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ସଫଳତା ଏବଂ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ କାର୍ଯ୍ୟକ୍ରମ ଥିଲା। ବୈଠକରେ ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗକୁ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଆତଙ୍କବାଦୀଙ୍କୁ ଆଶ୍ରୟ, ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣରେ ତା’ର ନୀତିକୁ ପରିବର୍ତ୍ତନ କରୁନଥିବାରୁ ଏ ଦିଗରେ ଚୀନ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ମୋଦୀ ଜିନ୍‌ପିଙ୍ଗଙ୍କୁ କହିଛନ୍ତି। ପାକିସ୍ତାନ କଥାବାର୍ତ୍ତା ପାଇଁ ଦେଉଥିବା ପ୍ରସ୍ତାବ କେବଳ ଉପରଠାଉରିଆ ଏବଂ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ଏହି ରାଷ୍ଟ୍ର ଲଗାତାର ପ୍ରୋତ୍ସାହନ ଦେଇ ଚାଲିଛି ବୋଲି ଆଜି ଭାରତ ସ୍ପଷ୍ଟ କରିଦେଇଛି। ଚଳିତ ବର୍ଷ ଭାରତ-ଚୀନ୍‌ ସଂପର୍କକୁ ୭୦ ବର୍ଷ ପୂର୍ଣ୍ଣ ହେଉଥିବାରୁ ଉଭୟ ଦେଶ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା ହୋଇଛି। ଜିନ୍‌ପିଙ୍ଗ୍‌ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ପାଇଁ ମୋଦୀଙ୍କ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ଜିନ୍‌ପିଙ୍ଗ୍‌ ଭାରତ ଆସିବେ ବୋଲି ଜଣାପଡ଼ିଛି। ଉଭୟ ରାଷ୍ଟ୍ର ମଧ୍ୟରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୀର୍ଘ ବର୍ଷ ଧରି ପ୍ରୟାସ ଲାଗି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ପ୍ରୟାସ ଜାରି ରହିଛି ।

ସମ୍ବନ୍ଧିତ ଖବର