ଶିମ୍‌ଲାରେ ମହିଳା କନେଷ୍ଟବଳଙ୍କୁ ଚାପୁଡ଼ା ମାରି, ପ୍ରତିବଦଳରେ ଚାପୁଡ଼ା ଖାଇଲେ କଂଗ୍ରେସ ବିଧାୟିକା

ଶିମ୍‌ଲା : ଜଣେ ମହିଳା କନେଷ୍ଟବଳଙ୍କୁ ମାଡ଼ ମାରି ଫସି ଯାଇଛନ୍ତି କଂଗ୍ରେସ ବିଧାୟିକା । ପୂର୍ବରୁ ଏଭଳି କିଛି ଘଟଣା ଘଟିଛି ଯେଉଁଥିରେ କିଛି ରାଜନେତାମାନେ ସୁରକ୍ଷା କର୍ମୀମାନଙ୍କୁ ମାଡ଼ ମାରିଛନ୍ତି । ଏହା ନୂଆ ନୂହେଁ । କିନ୍ତୁ ଶିମ୍‌ଲାରେ ଘଟିଥିବା ଘଟଣା ପରେ ବୋଧହୁଏ ଆଉ କେଉଁ ନେତା ସୁରକ୍ଷା କର୍ମୀମାନଙ୍କୁ ହାତ ଉଠାଇବାକୁ ସାହାସ କରିବେ ନାହିଁ । ସୂଚନା ଅନୂଯାୟୀ, ଶିମ୍‌ଲାରେ ଅନୁଷ୍ଠିତ ହୋଇଥବା କଂଗ୍ରେସ ପାର୍ଟିର ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ବୈଠକ ହେଉଥିବା ସ୍ଥାନରେ ପହଞ୍ଚି ଭିତରକୁ ଯିବାକୁ କଂଗ୍ରେସ ବିଧାୟିକା ଆଶା କୁମାରୀ ପ୍ରୟାସ କରୁଥିବା ସମୟରେ ଜଣେ ମହିଳା କନେଷ୍ଟବଳ ତାଙ୍କୁ ଅଟକାଇଥିଲେ ।
ଏଥିରେ ବିଧାୟିକା ଜଣଙ୍କ ରାଗିଯାଇ ମହିଳା କନେଷ୍ଟବଳଙ୍କୁ ଚାପୁଡ଼ାଟାଏ ମାରିଥିଲେ । ଚାପୁଡ଼ା ଖାଇବା ପରେ ମହିଳା କନେଷ୍ଟବଳ ଜଣଙ୍କ ଚୁପ ନ ରହି ବିଧାୟିକାଙ୍କୁ ଗୋଟେ ଶକ୍ତ ଚାପୁଡ଼ା ପକାଇଥିଲେ । ମହିଳା କନେଷ୍ଟବଳଙ୍କ ଏପରି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଶା କୁମାରୀ । ସେ ପୁଣି ଥରେ ହାତ ଉଠାଇ ମାରିବାକୁ ଉଦ୍ୟତ ହେବାରୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ ।


କିଛି ଦିନ ପୂର୍ବରୁ ହୋଇଥିବା ବିଧାନସଭା ନିର୍ବାଚନରେ ୬୮ସିଟ୍‌ରୁ ୨୦ଟି ସିଟ୍‌ ଅକ୍ତିଆର କରିଥିଲା କଂଗ୍ରେସ ।
କମ ଭୋଟ କ’ଣ ପାଇଁ ମିଳିଲା ସେ ବିଷୟରେ ସମୀକ୍ଷା କରିବା ପାଇଁ ଶିମ୍‌ଲାରେ ବୈଠକ ରଖାଯାଇଥିଲା । ସେଠାକୁ ଯୋଗ ଦେବାକୁ ଯାଇଥିବା ବେଳେ ବିଧାୟିକାଙ୍କ ସହ ଏପରି ଘଟିଥିଲା । ଏହି ଘଟଣା ପରେ ହିମାଚଳ ପ୍ରଦେଶ ପୁଲିସ ଏବଂ ବିଧାୟିକାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ । ଅନ୍ୟ ପକ୍ଷରେ କଂଗ୍ରେସର ଜଣେ ବିଧାୟିକା ହୋଇ ମଧ୍ୟ ତାଙ୍କୁ କ’ଣ ପାଇଁ ଭିତରକୁ ଯିବାକୁ ଦିଆ ଯାଇ ନ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର