ଆଶାରାମ ମାମଲାର ରାୟ ଆଜି:ଯୋଧପୁରରେ କଡ଼ା ସୁରକ୍ଷା, ୧୪୪ ଧାରା ଜାରି

କ’ଣ ଥିଲା ମାମଲା

ଯୋଧପୁର: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ୍‌ ବାପୁଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାର ରାୟ ବୁଧବାର ପ୍ରକାଶ ପାଇବ। ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି କଡ଼ା ନଜର ରଖାଯାଇଛି। ରାୟ ପ୍ରକାଶ ପାଇବା ପରେ ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ନବିଗିଡିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜସ୍ଥାନ, ଗୁଜରାଟ ଓ ହରିୟାଣା ସରକାରଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଅତିରିକ୍ତ ସୁରକ୍ଷା ବଳ ମଧ୍ୟ ନିୟୋଜିତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଜେଲ ପରିସରରେ ହିଁ ଏହି ମାମଲାର ରାୟ ଘୋଷଣା କରାଯିବ। ଜେଲ୍‌ ପରିସରରେ ଥିବା କୋର୍ଟ ରୁମ୍‌ରେ ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ରାଜସ୍ଥାନ ପୁଲିସ ମଧ୍ୟ ଆଇନ ଶୃଙ୍ଖଳା ଦୃଷ୍ଟିରୁ ୩୭୮ ଜଣଙ୍କୁ ଆଗୁଆ ଗିରଫ କରିଛି ଏବଂ ସେମାନେ ଆସନ୍ତା ଏପ୍ରିଲ ୩୦ ପର୍ଯ୍ୟନ୍ତ ହାଜତରେ ରହିବେ।
ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ ପରିସରରେ ରାଜସ୍ଥାନ ପୁଲିସର ୬ କମ୍ପାନି ସଶସ୍ତ୍ର ବାଟାଲିଅନ ମୁତୟନ ହୋଇଛନ୍ତି। ତେବେ ରାୟ ପ୍ରକାଶ ପରେ ଗଣଗିରଫ ହେବାର ସମ୍ଭାବନା ଥିବାରୁ ପୁଲିସ ଏନେଇ ଯୋଧପୁର ସହରର ଦୁଇଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିଛି।
ଉଲ୍ଲେଖଯୋଗ୍ୟ ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ଆଶାରାମ୍‌ଙ୍କର ଅଧିକ ସମର୍ଥକ ଥିବାରୁ ହିଂସାକାଣ୍ଡ ନେଇ ଆଶଙ୍କା ପ୍ରକାଶ ପାଇଛି। ସହରର ପ୍ରମୁଖ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ ଏବଂ ହୋଟେଲ୍‌ ଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଆଶାରାମ୍‌ଙ୍କ ଆଶ୍ରମ ପରିସରରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଯାଇଛି। ସେପଟେ ଯୋଧପୁର କୋର୍ଟ ସେଣ୍ଟ୍ରାଲ ଜେଲ୍‌ ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି।
ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ପାଇଁ ଯୋଧପୁର କୋର୍ଟରେ ପିଟିସନ ଦାଏର ହୋଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଏହି ମାମଲାରେ ପୂର୍ବରୁ ୩ ଜଣ ସାକ୍ଷୀଙ୍କର ମୃତ୍ୟୁ ହୋଇଥିବାରୁ ପୀଡ଼ିତାଙ୍କ ସୁରକ୍ଷା ପ୍ରତି ମଧ୍ୟ ପୁଲିସ ସଜାଗ ରହିଛି। ଉଲ୍ଲେଖଯୋଗ୍ୟ ୭୭ ବର୍ଷୀୟ ଆଶାରାମ ବିଭିନ୍ନ ସମୟରେ ତାଙ୍କ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ସୁରଟ୍‌ରେ ମଧ୍ୟ ଆଶାରାମ୍‌ଙ୍କ ବିରୋଧରେ ଅନ୍ୟ ଏକ ଦୁଷ୍କର୍ମ ମାମଲା ରହିଛି। ସୁରଟ୍‌ର ଦୁଇଜଣ ଝିଅ ଆଶାରାମ୍‌ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ଯୋଧପୁର, ୨୪/୪: ୟୁପି ଶାହଜହାଁପୁରର ଜଣେ ୧୬ ବର୍ଷର ନାବାଳିକା ମଧ୍ୟପ୍ରଦେଶର ଛିଣ୍ଡଓ୍ଵାରା ଆଶ୍ରମରେ ରହି ପଢୁଥିବା ବେଳେ ଆଶାରାମ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ ମସିହାରେ ଆଶାରାମ ଉକ୍ତ ନାବାଳିକାଙ୍କୁ ନିଜ କୋଠରୀକୁ ଡାକି ଦୁଷ୍କର୍ମ କରିଥିବା ନେଇ ନାବାଳିକା ଅଭିଯୋଗ କରିଥିଲେ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ୍‌ ଅତି କମ୍‌ରେ ୧୦ ବର୍ଷ ଜେଲ୍‌ଦଣ୍ଡ ପାଇବେ। ଏହି ମାମଲାରେ ଆଶାରାମଙ୍କ ବ୍ୟତୀତ ତାଙ୍କ ଆଶ୍ରମର ଅନ୍ୟ ୪ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଥିଲା। ସେମାନଙ୍କ ପୋକ୍ସୋ ଆଇନ, ଶିଶୁ ଅପରାଧ ଆଇନ ଓ ଭାରତୀୟ ଦଣ୍ଡବିଧିର ବିଭିନ୍ନ ଧାରା ମୁତାବକ ମାମଲା ରୁଜୁ ହୋଇଥିଲା। ୨୦୧୩ ସେପ୍ଟେମ୍ବର୧ ତାରିଖରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା। ସେହିବର୍ଷ ନଭେମ୍ବରରେ ପୁଲିସ୍‌ ଆଶାରାମଙ୍କ ସମେତ ୫ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲା। ୨୦୧୪ ମସିହାରୁ ଏହି ମାମଲାର ଶୁଣାଣି ହେବାଠାରୁ ମୋଟ ୫୨ଜଣ ସାକ୍ଷ୍ୟଙ୍କ ମଧ୍ୟରୁ ୯ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ଗତ ୭ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆସନ୍ତାକାଲି ରାୟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର