ନୂଆଦିଲ୍ଲୀ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ଅଶୋକ ଗେହଲଟ୍। ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ସଚିନ୍ ପାଇଲଟ୍। ବହୁ ବାଦବିବାଦ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛନ୍ତି। ରାହୁଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମାରାଥନ୍ ଆଲୋଚନା ପରେ ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କୁ ତୃତୀୟ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ଗେହଲଟ୍ ୧୯୯୮ରୁ ୨୦୦୩ ଓ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଗେହଲଟ୍ଙ୍କୁ ମନୋନୀତ କରିବା ପରେ ରାହୁଲ କହିଛନ୍ତି, ଗେହଲଟ୍ଙ୍କ ନେତୃତ୍ବରେ ରାଜ୍ୟରେ ଦଳ ଆହୁରି ଆଗକୁ ବଢ଼ିବ ଏବଂ ତାଙ୍କ ନେତୃତ୍ବ ରାଜ୍ୟବାସୀଙ୍କ ଇଚ୍ଛା ପୂରଣ କରିବା ଦିଗରେ କାର୍ଯ୍ୟ କରିବ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଅନୁଧ୍ୟାନ ପାଇଁ ରାଜ୍ୟକୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ପଠାଯାଇଥିବା କେ ସି ବେଣୁଗୋପାଳ କହିଛନ୍ତି ଯେ ଗୁରୁବାର ବିଧାୟକ ଦଳ ବୈଠକରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ରାହୁଲଙ୍କୁ ଅବଗତ କରାଯାଇଥିଲା। ଏହାପରେ ରାହୁଲ କଂଗ୍ରେସର ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଶେଷରେ ଗେହଲଟ୍ଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଭାବେ ସଚିନ୍ ପାଇଲଟ୍ଙ୍କୁ ମନୋନୀତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବିଧାୟକ ଦଳର ବୈଠକ ପରେ ରାହୁଲ ଗାନ୍ଧୀ ଗେହଲଟ୍ ଓ ପାଇଲଟ୍ଙ୍କୁ ଦିଲ୍ଲୀ ଡକାଇଥିଲେ। ସେମାନଙ୍କ ସହିତ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିଥିଲେ। କିନ୍ତୁ କୌଣସି ଫଳ ବାହାରିନଥିଲା। ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାରେ ବିଳମ୍ବ ହେଉଥିବା ଦର୍ଶାଇ ତାଙ୍କ ସମର୍ଥକମାନେ ଏହାର ବିରୋଧ କରିଥିଲେ। ଫଳରେ ଅସନ୍ତୋଷ ବଢ଼ିଥିଲା। ତେବେ ଶୁକ୍ରବାର ୩ ଜଣଙ୍କ ମଧ୍ୟରେ ସହମତି ହେବା ପରେ ଗେହଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାପରେ ରାହୁଲ ଏହି ଦୁଇ ନେତାଙ୍କ ସହିତ ଏକ ଫଟୋ ଟ୍ବିଟ୍ କରିଛନ୍ତି। ‘ରାଜସ୍ଥାନର ଏକତାର ରଙ୍ଗ’ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।
ରାହୁଲଙ୍କ ନିଷ୍ପତ୍ତି ପରେ ଗେହଲଟ୍ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ନବନିର୍ବାଚିତ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୋତେ ପୁନର୍ବାର ଚୟନ କରାଯାଇଛି। ଏହାଦ୍ବାରା ରାଜ୍ୟବାସୀଙ୍କ ସେବା କରିବା ପାଇଁ ମୋତେ ଆଉଏକ ସୁଯୋଗ ମିଳିଛି। ଏହି ସୁଯୋଗ ଦେଇଥିବାରୁ ମୁଁ ଦଳକୁ କୃତଜ୍ଞତା ଜଣାଉଛି।
ସେ କହିଛନ୍ତି, ଯାହାକୁ ପ୍ରସଙ୍ଗ କରି ଆମେ ଆଗେଇଥିଲୁ ଏବଂ ଯାହାକୁ ଭରସା କରି ରାଜ୍ୟବାସୀ ଆମକୁ ଜିତାଇଛନ୍ତି, ପ୍ରଥମେ ସେ କାମ କରିବାକୁ ଉଦ୍ୟମ କରିବୁ। ସୁଶାସନ ଏବଂ ଚାଷୀଙ୍କ ଋଣ ଛାଡ଼ ତନ୍ମଧ୍ୟରେ ଅନ୍ୟତମ ମୁଖ୍ୟ ବିଷୟ। ୫ ବର୍ଷ ଧରି ଲୋକମାନେ ଯେଉଁ କଷ୍ଟ ସହିଛନ୍ତି, ତାହାକୁ ଲାଘବ କରିବା ପାଇଁ ଉଚିତ ପଦକ୍ଷେପ ନିଆଯିବ। ତେବେ ଲୋକମାନେ ବସୁନ୍ଧରା ରାଜେ ସରକାରଙ୍କ ଉପରେ ପ୍ରବଳ ରାଗିଯାଇଥିଲେ ବୋଲି ଗେହଲଟ୍ କହିଛନ୍ତି।
ପାଇଲଟ୍ କହିଛନ୍ତି, ମୋତେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି। ୩ଟି ରାଜ୍ୟର ନିର୍ବାଚନ ଫଳାଫଳ ଦେଶକୁ ସନ୍ତୋଷ ପ୍ରଦାନ କରିବ ବୋଲି ଆଶା କରୁଛି। ରାଜ୍ୟର ଜନତା ଆମକୁ ଆଶୀର୍ବାଦ ପ୍ରଦାନ କଲେ। ବସୁନ୍ଧରା ରାଜେ ସରକାରଙ୍କ ବିରୋଧରେ ମୋର ଏବଂ ଗେହଲଟ୍ଙ୍କ ଯାଦୁ କାମ ଦେଲା। ଆମେ ଏବେ ଏକ ସୁନ୍ଦର ତଥା ସୁଦକ୍ଷ ସରକାର ଗଠନ କରିବୁ। କଂଗ୍ରେସ ନେତାମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଆମେ ସମସ୍ତେ ଏହି କକ୍ଷରେ ବସିଥିଲେ। କିନ୍ତୁ କିଏ ଜାଣିଥିଲେ, ଦୁଇ ଦୁଇ କୋଟିପତି ଗୋଟିଏ ଦିନରେ ସୃଷ୍ଟି ହେବେ।
ଅନ୍ୟପକ୍ଷରେ, ଛତିଶଗଡ଼ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।